ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜଧାନୀ ଏଥର ଭରଷା କଲେ ବିଜେପିକୁ । ବିଜେଡି ଗଡ ଭାବରେ ପରିଚିତ ଭୁବନେଶ୍ୱରରେ ଏଥର ଫୁଟିଲା ପଦ୍ମ । ଭୁବନେଶ୍ୱର ଲୋକସଭା ଆସନରୁ ବାଜି ମାରିନେଲେ ପ୍ରଶାସିକାରୁ ରାଜନୀତିକୁ ଆସିଥିବା ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ସେ ଅପରାଜିତ ଅପରାଜିତା ହୋଇଛନ୍ତି । କୁହାଯାଉଥିବା ଆଇଏସ ଓ ଆଇପିଏସ ମଧ୍ୟରେ ହେଉଥିବା ଏହି ମହାଲଢେଇରେ ଆଇଏସଙ୍କର ବିଜୟ ହୋଇଛି ।
ଅପରାଜିତା ନିଜ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ୨୩୮୩୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଅପରାଜିତା ମୋଟ ୪୮୬୯୯୧ ଭୋଟ ପାଇଥିବା ବେଳେ ଅରୂପ ପଟ୍ଟନାୟକ ୪୬୩୧୫୨ ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ଓ ସିପିଆଇଏମ ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କୁ ୨୩୦୨୬ ଖଣ୍ଡ ଭୋଟ ମିଳିଛି । ତେବେ ବିଜେଡି ଗଡ ଭାବେ ପରିଚିତ ଭୁବନେଶ୍ୱର ଆସନଟି ପ୍ରଥମ ଥର ପାଇଁ ବିଜେପି ଖାତାକୁ ଯାଇଛି ।
ଏହି ଆସନଟି ବିଜେଡି ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ହାତରେ ରହିଥିଲା । ଚଳିତ ଥର ବିଜେଡି ଏଠାରେ ପ୍ରସନ୍ନଙ୍କ ବଦଳରେ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା । ଅରୂପ ଓ ଅପରାଜିତାଙ୍କ ମଧ୍ୟରେ ଏଠାରେ ଗତ କାଲି ଘମାଘୋଟ ଲଢେଇ ଦେଖିବାକୁ ମିଳିଥିଲା । ଜିତିବା ପରେ ଅପରାଜିତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ ବିକାଶର କୌଣସି ଦଳ ନାହିଁ , ସବୁ ଦଳକୁ ନେଇ କାମ କରିବି । ନିଜର ବିଜୟ ପାଇଁ ସେ ସମସ୍ତ ଶ୍ରେୟ ମୋଦି ଓ ନିଜ ନିର୍ବାଚନ ମଣ୍ଡଳିର ଜନତାଙ୍କୁ ଦେଇଛନ୍ତି ।