ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଭୁବନେଶ୍ୱରରେ ପହଞ୍ଚିଲେ ଅପରାଜିତା । ବରିଷ୍ଠ ଆଇଏଏସ ଅପରାଜିତା ଷଡଙ୍ଗୀ ଗତ ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଅପରାଜିତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଖାଲି ସେତିକି ନୁହେଁ ଏକ ଶୋଭାଯାତ୍ରା ମଧ୍ୟମରେ ଲିଙ୍ଗରାଜଙ୍କ ଦର୍ଶନରେ ଯାଇଛନ୍ତି ଅପରାଜିତା । ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇଛନ୍ତି ।
ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ନିଜ ଘରକୁ ଫେରିବା ପରି ଅନୁଭବ ହେଉଥିବା ଅପରାଜିତା କହିଛନ୍ତି । ଏହାସହ ମୁଁ ନୁହେଁ , ଆମେ ହୋଇ କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ରାଜନୀତିକୁ ଆସିଥିବା ବେଳେ ଆଗାମୀ ଦିନରେ ଓଡିଶାର ସ୍ୱାର୍ଥ ପାଇଁ ସେ କାମ କରିବେ । ଦଳର ଜଣେ ସାଧାରଣ ସଦସ୍ୟ ହୋଇ ସମସ୍ତଙ୍କ ସହ ହାତ ମିଳାଇ ସୁଶାସନ , ସ୍ୱଚ୍ଛ ଓ ସକାରାତ୍ମକ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ , ଗତ ୨୭ ତାରିଖ ବୁଧବାର ଦିନ ଦିଲ୍ଲୀ ସ୍ଥିତ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ ଶ୍ରୀନତୀ ଅପରାଜିତା ଷଡଙ୍ଗୀ ବିଜେପିରେ ସାମିଲ ହୋଇଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସମେତ ଅରୁଣ ସିଂହ ଓ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ ।
୧୯୯୪ ମସିହା ବ୍ୟାଚର ଏହି ଆଇଏଏସ ନିଜ ଚାକିରୀ ସରିବାର ୧୧ ବର୍ଷ ପୂର୍ବରୁ ଅବସର ନେଇ ରାଜନୀତିରେ ଯୋଗଦାନ କରିଛନ୍ତି । ପୂର୍ବରୁ ସେ ଗଣଶିକ୍ଷା ବିଭାଗ ସଚିବ ଥିବା ବେଳେ ବହୁ ଉନ୍ନତିମୂଳକ ପଦକ୍ଷେପ ନେଇଥିଲେ । ସେହିପରି ଭୁବନେଶ୍ୱର ବିଏମସି କମିଶନର ଓ ଖୋର୍ଦ୍ଧା ଜିଲ୍ଲାପାଳ ଥିବା ବେଳେ ମଧ୍ୟ ତାଙ୍କ କାର୍ଯ୍ୟଶୈଳୀ ଲୋକଙ୍କ ମନରେ ଛାପ ଛାଡିଯାଇଛି । ତାଙ୍କ ଦ୍ୱାରା ନିଆଯାଇଥିବା କିଛି ନିଷ୍ପତିକୁ ଲୋକେ ଏଯାଏଁ ଭୁଲିପାରିନାହାନ୍ତି । ତେବେ ରାଜନୀତି କ୍ଷେତ୍ରରେ ସେ ରାଜ୍ୟରେ କିଛି ପରିବତ୍ତନ ଆଣିପାରିବେ ବୋଲି ଆଶା କରାଯାଉଛି ।