ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଘଣ୍ଟାଏ ବର୍ଷାରେ ବେହାଲ ହୋଇ ପଡୁଛି ଦେଶର ଏକ ନମ୍ବର ସ୍ମାର୍ଟସିଟି ବୋଲାଉଥିବା ଭୁବନେଶ୍ୱର । ରାଜଧାନୀରେ ଅସରାଏ ବର୍ଷା ହେଲେ ସହରର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ହୋଇ ପଡୁଛି । ତେବେ ଏହି ଜଳବନ୍ଦୀ ଘଟଣା ସଂସଦରେ ଉଠାଇଛନ୍ତି ଭୁବନେଶ୍ୱରରୁ ନବନିର୍ବାଚିତ ହୋଇଥିବା ବିଜେପି ସାଂସଦ ଅପରାଜିତା ଷଢ଼ଙ୍ଗୀ । ସେ କହିଛନ୍ତି କି ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଦୃଷ୍ଟି ଆକର୍ଷଣ କରନ୍ତୁ ।
ଭୁବନେଶ୍ୱରର ଅଧିକାଂଶ ଡ୍ରେନ ଏବେ ଜବରଦଖଲ ହୋଇଯାଇଛି । ଡ୍ରେନ ଉପରେ ମଧ୍ୟ ଲୋକ ଘର କରି ରହିଛନ୍ତି ଯେଉଁ କାରଣରୁ ପାଣି ନିଷ୍କାସନ ହୋଇ ପାରୁନି । ଅପରପକ୍ଷରେ ଗଙ୍ଗୁଆ ଡ୍ରେନ ଏବେ ଧିରେ ଧିରେ ପୋତି ହେବାରେ ଲାଗିଛି । ଯେଉଁ କାରଣରୁ ପାଣି ଠିକସେ ନିଷ୍କାସନ ନହୋଇ ସହରରେ ଜମି ରହୁଛି । ତେବେ ଏହାର ସମାଧାନ କରାଯାଉ ବୋଲି ସଂସଦରେ ଦାବୀ କରିଛନ୍ତି ଅପରାଜିତା ଷଢ଼ଙ୍ଗୀ ।
ସୂଚନାଯୋଗ୍ୟ, ନିକଟରେ ଭୁବନେଶ୍ୱର ଲୋକସଭା ଆସନରେ ବିଜେଡିର ଅରୂପ ପଟ୍ଟନାୟକଙ୍କୁ ହରାଇ ବିଜୟ ହୋଇଥିଲେ ଅପରାଜିତା ଷଢ଼ଙ୍ଗୀ । ପ୍ରଶାସନିକାରୁ ରାଜନେତ୍ରୀ ହୋଇଛନ୍ତି ଅପରାଜିତା । ସ୍କୁଲ ଏବଂ ଗଣଶିକ୍ଷା ବିଭାଗରେ ଥିବା ବେଳେ ଅପରାଜିତା ବହୁତ ଭଲ କାମ କରି ସାରା ଓଡିଶାରେ ସୁପରିଚିତ ହୋଇଥିଲେ । ଭୁବନେଶ୍ୱରରେ ଭେଣ୍ଡିଂଜୋନ ବ୍ୟବସ୍ଥା ମଧ୍ୟ ତାଙ୍କ ସମୟରେ ହୋଇଥିଲା ।