ନୟାଗଡ (ଏଟିଆର ବ୍ୟୁରୋ); ବୁଧବାର ବିଜେଡି ସୁପ୍ରିମୋ ୩୬ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏହି ଆସନ ମଧ୍ୟରେ ଗତକାଲି ନୟାଗଡ ପାଇଁ ଅରୁଣ ସାହୁଙ୍କ ଉପରେ ପୁଣିଥରେ ଭରଷା କରି ବିଜେଡି ସୁପ୍ରିମୋ ଟିକେଟ ଦେଇଛନ୍ତି । ଜିଲ୍ଲାର ଚାରୋଟି ଆସନ ମଧ୍ୟରୁ ନୟାଗଡ ଆସନରେ କାହାକୁ ଟିକେଟ ମିଳିବ ତାଉପରେ ସମସ୍ତଙ୍କ ନଜର ରହିଥିଲା । ତେବେ ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ନବୀନ ପଟ୍ଟନାୟକ ଅରୁଣ ସାହୁଙ୍କୁ ଟିକେଟ ଦେଇଛନ୍ତି । କଂଗ୍ରେସ ବର୍ତ୍ତମାନ ସୁଦ୍ଧା ଏଠାରେ କାହାକୁ ପ୍ରାର୍ଥୀ କରିବ ତାହା ଠିକ କରିନାହିଁ । ଅପରପକ୍ଷରେ ବିଜେପି ଲାଲା ମନୋଜ ରାୟଙ୍କ ପତ୍ନୀ ଇରାନୀ ରାୟଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି ।
ଏଥର ନୟାଗଡରେ ଇରାନୀ ରାୟ ଏବଂ ଅରୁଣ ସାହୁଙ୍କ ମଧ୍ୟରେ କଡା ଟକ୍କର ହେବ । ତେବେ ତିନିଥର ନୟାଗଡ ଆସନରେ ବାଜି ମାରିଥିବା ଅରୁଣଙ୍କ ସାମନାରେ କେହି ଟାଣୁଆ ନେତା ନଥିବାରୁ ନିର୍ବାଚନ ଏକ ପ୍ରକାର ତାଙ୍କ ସପକ୍ଷରେ ଯିବ ବୋଲି ଅନୁମାନ କରାଯାଉଛି । ତିନିବର୍ଷର ସଂଗଠନ ଥିବାରୁ ଅରୁଣଙ୍କ ପଲ୍ଲା ଭାରି ରହିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହଉଛି । ପୂର୍ବରୁ ଶୁଣିବାକୁ ମିଳିଥିଲା କି କଂଗ୍ରେସ ପକ୍ଷରୁ ପ୍ରତ୍ୟୁଷା ପ୍ରାର୍ଥୀ ହେବେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ମନ ବଦଳାଇ ବିଜେପି ମୁହାଁ ହୋଇଥିଲେ । ଏଣୁ ପୂର୍ବରୁ ଯେଉଁ ବଡ ଚର୍ଚ୍ଚା ହେଉଥିଲା ସେହି ଚର୍ଚ୍ଚା ଚର୍ଚ୍ଚାରେ ହିଁ ରହିଗଲା ।