ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତାକାଲି ଆରମ୍ଭ ହେବ ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ କାଲି ଠାରୁ ଆରମ୍ଭ ହୋଇ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ଅଧିବେଶନକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ନଜରରେ ରହିବ ପୂରା ଗାନ୍ଧି ମାର୍ଗ ବୋଲି ସୂଚନା ଦେଇଛନ୍ତି ଡିଜିପି ବି.କେ ଶର୍ମା । ତେବେ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି ବି.କେ ଶର୍ମା ।
ସୁରକ୍ଷା ବ୍ୟବସ୍ଥା ପାଇଁ ସପ୍ତମ ବାଟାଲିୟନର ସ୍ୱତନ୍ତ୍ର ଟିମ ମୁତୟନ ରହିବା ସହ ୩ଟି କଣ୍ଟ୍ରୋଲ ରୁମ ର ବ୍ୟବସ୍ଥା କରାଯିବ । ସେହିପରି ସୁରକ୍ଷା ଦାୟିତ୍ୱରେ ୯୦ ଜଣ ଅଫିସର, ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ, ଷ୍ଟ୍ରାଇକିଂ ଫୋର୍ସ, କ୍ୟୁଆରଟି ସହ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଆନ୍ଦୋଳନକାରୀଙ୍କ ଉପରେ କଡା ନଜର ରଖାଯିବ । ସୂଚନା ଅନୁସାରେ, ଅଧିବେଶନର ପ୍ରଥମଦିନରେ ପୂର୍ବତନ ବିଧାୟକ ସହୁରା ମଲ୍ଲିକ, ଉଦିତ୍ ପ୍ରତାପ ଦେଓ ଓ ବୃନ୍ଦାବନ ପାତ୍ରଙ୍କ ସମେତ ଓଡ଼ିଶା ପୁଲିସର ସଶସ୍ତ୍ର ଯବାନ ଜୟରାମ କବାସିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆସିବ।ଅପରାହ୍ନରେ ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ମଧ୍ୟ ଆଗତ ହେବାର କାର୍ୟ୍ୟକ୍ରମ ରହିଛି।