ଭଦ୍ରକ (ଏଟିଆର ବ୍ୟୁରୋ); ବିଜେଡି ରାଜ୍ୟ ଛାତ୍ର ସମ୍ପାଦକ ରାକେଶ ନାୟକଙ୍କୁ ଛେଚିଲେ ଯୁବକ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ଏହି ଛାତ୍ର ନେତାଙ୍କୁ ମାଡ ହୋଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଗରିପୁର ଅଞ୍ଚଳର ଚନ୍ଦନ ଦାଶ ନାମକୁ ଜଣେ ଯୁବକ ମାଡ ମାରିଥିବା ଜଣା ପଡିଛି । ଏଣୁ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଥାନାରେ ଅଭିଯୋଗ କରିଛନ୍ତି । ଯୁବ ନେତାଙ୍କୁ ମାଡ ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୋଲିସ ରିପୋର୍ଟ ମୁତବାକ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୂଇଁବୃତି ପଞ୍ଚାୟତରେ ଏକ ଉନ୍ନତି ମୂଳକ କାର୍ଯ୍ୟର ଶିଳାନ୍ୟାସ କରିବା ପାଇଁ ସ୍ଥାନୀୟ ବିଧାୟକ ଏବଂ ସରପଞ୍ଚ ଯାଇଥିଲେ । ତେବେ ଏହି କାଯ୍ୟକ୍ରମରେ ଯୋଗ ଦେବା ପାଇଁ ରାକେଶ ମଧ୍ୟ ଯାଇଥିଲେ ଏଠାରେ ତାଙ୍କୁ ଚନ୍ଦନ ମାଡ ମାରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ଏଣୁ ଚନ୍ଦନକୁ ତୁରନ୍ତ ଗିରଫ କରିବା ସହିତ କଠିନ ଦଣ୍ଡ ଦିଆଯାଉ ବୋଲି ସେ କହିଛନ୍ତି । ସେପଟେ ଶାସକ ଦଳ ଯୁବ ନେତାଙ୍କୁ ମାଡ ହୋଇଥିବାରୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ବିଜେଡିର ଏତେ କର୍ମୀ ଏବଂ ସାଧାରଣ ଲୋକ ଥିବା ବେଳେ ଚନ୍ଦନ କିପରି ରାକେଶଙ୍କୁ ମାରିଲେ । ସେଠାରେ ଛିଡା ହୋଇଥିବା ଲୋକ କଣ ନିରବଦ୍ରଷ୍ଟା ସାଜିଥିଲେ ନାଁ ମିଛରେ ଏଭଳି ଅଭିଯୋଗ କରାଯାଇଛି? ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତା ମାଡ ଖାଇବା ଦଳ ପାଇଁ ଅଭାବନୀୟ ଘଟଣା । ସେପଟେ ଆଜି ଭୁବନେଶ୍ୱର ସହୀନଗର ପୋଲିସକୁ ମାଡ ମାରିଥିବା ଅଭିଯୋଗରେ ଯୁବ ଉପସଭାପତି ଗିରଫ ହୋଇଥିବା ବେଳେ ଛାତ୍ର ନେତାଙ୍କୁ ମାଡ ଦଳ ପାଇଁ ଅତି ନିନ୍ଦନୀୟ ଘଟଣା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।