ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦୁଇ ଦିନ ପୂର୍ବେ ବିଜେଡିକୁ ବାଏ ବାଏ କହିଥିବା ବାବୁ ସିଂହ ମଙ୍ଗଳବାର ବିଜେପିରେ ଯୋଗ ଦେଇଛନ୍ତି । ବାବୁଙ୍କ ସହିତ ବହୁ ଯୁବ ଏବଂ ଛାତ୍ର ନେତା ବିଜେପିରେ ଯୋଗ ଦେଇଛନ୍ତି । ବିଜେପିର ଏହି ମିଶ୍ରଣ ପର୍ବରେ ହଜାର ହଜାର ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ବହୁ ଯୁବ ଏବଂ ଛାତ୍ର ନେତାଙ୍କ ସହ ବାଇକ ରାଲିରେ ଆସି ବିଜେପି ପାର୍ଟି ଅଫିସରେ ପହଁଞ୍ଚିଥିଲେ ବାବୁ । ତାଙ୍କର ବହୁ ସମର୍ଥକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ସେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା,କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏବଂ ସମୀର ମହାନ୍ତିିଙ୍କ ଭଳି ବହୁ ତୁଙ୍ଗ ଦଳୀୟ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ ।
ବାବୁ ବିଜେପିରେ ଯୋଗ ଦୋବ ପରେ ବିଜେପି ଆହୁରି ଦୃଢ଼ ହୋଇଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ବାବୁ ଭୁବନେଶ୍ୱର ବିଜେଡି ଜିଲ୍ଲା ସଭାପତି ଥିଲେ । ଏଣୁ ଏଠାରେ ତାଙ୍କର ଭଲ ଲୋକ ସମ୍ପର୍କ ରହିଛି । ବାବୁ ବୈଜୟନ୍ତଙ୍କ ଅତି ଘନିଷ୍ଟ ଥିବା ଜଣା ପଡିଛି । ଏଣୁ ବାବୁ ବୈଜୟନ୍ତ ବିଜେପିରେ ଯୋଗ ଦେବା ପରେ ତାଙ୍କ ପଛେ ପଛେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଚର୍ଚ୍ଚା ହେଉଛି । ତେବେ ସେ ଯାହାବି ହେଉ ବାବୁ ସିଂହଙ୍କ ଭଳି ଯୁବ ନେତା ବିଜେପିରେ ଯୋଗ ଦେବା ପରେ ଭୁବନେଶ୍ୱରରେ ବିଜେପିର ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଇଛି ।
ମଙ୍ଗଳବାର ଏହି ମିଶ୍ରଣ ପର୍ବରେ ବାବୁଙ୍କ ସମେତ ପାଟକୁରା କଂଗ୍ରେସ ନେତା ଉମାକାନ୍ତ ନାୟକ, ବିଏମ୍ସିର ପୂର୍ବତନ କର୍ପୋରେଟର୍ ପଦ୍ମନାଭ ଦାଶ, ସାମାଜିକ କର୍ମୀ କୈଳାସ ଚନ୍ଦ୍ର ବଳ, ଦୁର୍ଗାଶିଷ ମହାନ୍ତି, ପ୍ରକାଶ ରଥ, ଗୋପାଳକୃଷ୍ଣ ଦାସ ଓ ଅଦ୍ବୈତ ମହାନ୍ତି, ବେଗୁନିଆ ନିର୍ବାଚନମଣ୍ଡଳୀର ପୂର୍ବତନ ବ୍ଲକ୍ ଚେୟାରମ୍ୟାନ୍ ରଘୁନାଥ ଷଡ଼ଙ୍ଗୀଙ୍କ ସମେତ ବହୁ ରାଜନେତା, ସାମାଜିକ କର୍ମୀ ବିଜେପିରେ ଯୋଗ ଦେଇଥିଲେ।