ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେଡିରୁ ବୈଜୟନ୍ତଙ୍କୁ ନିଲମ୍ବିତ କରିବା ପରେ କଣ ହେବ ତାଙ୍କ ରାଜନୈତିକ ଭବିଷ୍ୟତ ତାକୁ ନେଇ ଆରମ୍ଭ ହୋଇଥିଲା ବିଭିନ୍ନ ଚର୍ଚ୍ଚା । ତେବେ ବୈଜୟନ୍ତ ବିଜେଡିରୁ ବହିଷ୍କାର ହେବା ପଛର ମୁଖ୍ୟ କାରଣ ହେଉଛି ସେ ଦଳରେ ରହି ବିଜେପିକୁ ପ୍ରଂଶସା କରିବା । ଏଣୁ ପୂର୍ବରୁ ଆଭାସ ମିଳିଥିଲା କି ବୈଜୟନ୍ତଙ୍କର ବିଜେପି ପ୍ରତି ଦୁର୍ବଳତା ରହିଛି । ତେବେ ଏହା ଗତକାଲି ପ୍ରତିଫଳିତ ହୋଇଛି । ବେଘର ହୋଇ ବୁଲୁଥିବା ବୈଜୟନ୍ତଙ୍କୁ ଶେଷରେ ଠିକଣା ମିଳି ଯାଇଛି । ପୂର୍ବରୁ ହେଉଥିବା କଳ୍ପନା ଜଳ୍ପନାକୁ ସତରେ ପରିଣତ କରି ଶେଷରେ ବିଜେପିରେ ଯୋଗ ଦେଇଛନ୍ତି ବୈଜୟନ୍ତ ପଣ୍ଡା । ନୂଆ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ ବୈଜୟନ୍ତ ।
ବୈଜୟନ୍ତଙ୍କ ଏହି ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏବଂ ଜଏଲ ଓରାମ । ତେବେ ଏହି ମିଶ୍ରଣ ପର୍ବରେ ବିଜେପିର ବହୁ କେନ୍ଦ୍ରୀୟ ତୁଙ୍ଗ ନେତା ମଧ୍ୟ ଯୋଗ ଦେଇଥିଲେ । ବିଜେପିରେ ଯୋଗ ଦେବା ପରେ ବୈଜୟନ୍ତ ଆରମ୍ଭ କରି ଦେଇଛନ୍ତି ବିଜେଡି ବିରୋଧୀ ନାରା । ସେ କହିଛନ୍ତି କି ବିଜେଡି ଶାସନରେ ବହୁତ ଅନ୍ୟାୟ ଏବଂ ଦୁର୍ନୀତି ବଢ଼ିବାରେ ଲାଗିଛି । ଏଣୁ ରାଜ୍ୟରେ ପରିବର୍ତ୍ତନ ଦରକାର । ଦେଶରେ ମୋଦିଙ୍କ ନେତୃତ୍ୱରେ ବହୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି । ଏଣୁ ବିଜେପି ସରକାର ରାଜ୍ୟରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରିବ ବୋଲି ଦୃଢ଼ୋକ୍ତି ପ୍ରଦାନ କରିଛନ୍ତି ବୈଜୟନ୍ତ ।
ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି କି ୨୨ ବର୍ଷ ତଳୁ ମୁଁ ବିଜେପିରେ ଯୋଗ ଦେବା ପାଇଁ ଇଛା କରିଥିଲି । କିନ୍ତୁ ଯୋଗ ଦେଇପାରନଥିଲି । ସେ ଆହୁରି ମଧ୍ୟ କହିଛନ୍ତି କି ମୋ ଦେହ ବିଜେଡିରେ ଥିଲା ସତ କିନ୍ତୁ ବିଜେପିରେ ହୃଦୟ ରହିଥିଲା । ବିଜେପିରେ ଯୋଗ ଦେବା ପରେ ତାଙ୍କୁ ବହୁ ଦିଗରୁ ପ୍ରଂଶସାର ସୁଅ ଛୁଟିଛି । ତେବେ ସେ ଯାହାବି ହେଉ ଶଙ୍ଖ ଫୁଙ୍କି ବିଜୟ ବାନା ଉଡାଉଥିବା ବୈଜୟନ୍ତ ପଦ୍ମ ଧରି କେତେ ସଫଳ ହେବ ତାହା ସମୟ କହିବ । କିନ୍ତୁ ବିଜେପିରେ ଯୋଗ ଦେବା ପରେ ରାଜନୈତିକ ମହଲ ଚଳଚଞ୍ଚଳ ହୋଇ ପଡିଛି । କାରଣ ବୈଜୟନ୍ତଙ୍କ ନୂଆ ଠିକଣାକୁ ନେଇ ପାନ ଦୋକାନରୁ ଅଫିସ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା ।