ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଚିଲିକା ଉପରେ ହେଲିକପ୍ଟର ଉଡାଇବା ବିବାଦରେ ବୈଜୟନ୍ତଙ୍କ ହେଲିକପ୍ଟରକୁ ଡିଜିସିଏଙ୍କ ପକ୍ଷରୁ ମିଳିଲା କ୍ଲିନଚିଟ୍ । ହେଲିକପ୍ଟର ଉଡାଣରେ କୌଣସି ନିୟମ ଉଲ୍ଲଂଘନ ହୋଇ ନଥିବା ରିପୋର୍ଟ ଦେଇଛନ୍ତି ଡିଜିସିଏ । ଡିଜିସିଏଙ୍କ ରିପୋର୍ଟ ପରେ ପୁରୀ ପୋଲିସ ସିଜ୍ କରିଥିବା ବୈଜୟନ୍ତଙ୍କ ହେଲିକପ୍ଟର ହ୍ୟାଙ୍ଗର କେତେଶୀଘ୍ର ଖୋଲୁଛନ୍ତି ତାହା କୌଣସି ସୂଚନା ନାହିଁ । ଗତ ସେପ୍ଟେମ୍ବର ୧୫ରେ ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର କମ ଉଚ୍ଚତାରେ ଉଡିବା ସହ ଅବତରଣର ଅଭିଯୋଗ ହୋଇଥିଲା ।
ପରେ ୧୭ ତାରିଖରେ ପୁରୀ ଅରଖକୁଦା ମେରାଇନ ଥାନାରେ ଏନେଇ ଏତଲା ଦାୟର ପରେ ସିଡିଏ କର୍ତ୍ତୃପକ୍ଷ ଏୟାରପୋର୍ଟରେ ଥିବା ବୈଜୟନ୍ତଙ୍କ ହ୍ୟାଙ୍ଗର ସହ ୩ଟି ହେଲିକପ୍ଟର ସଙ୍ଗେ ସଙ୍ଗେ ସିଜ୍ କରିଥିଲା । ବହୁ ବାଦ ବିବାଦ ଭିତରେ ଏବେ ଡିଜିସିଏ ରିପୋର୍ଟ ଆସିଥିବା ବେଳେ ଏଥିରେ ବୈଜୟନ୍ତଙ୍କ ହେଲିକପ୍ଟରକୁ କ୍ଲିନଚିଟ୍ ମିଳିଛି । ତେବେ ପ୍ରଶ୍ନ ଉଠୁଛି, ଡିଜିସିଏ ରିପୋର୍ଟ ଦେଖିବା ପରେ ପୁରୀ ପୋଲିସ କେବେ ଖୋଲିବ ବୈଜୟନ୍ତଙ୍କ ହେଲିକପ୍ଟର ହ୍ୟାଙ୍ଗର । ଡିଜିସିଏର ରିପୋର୍ଟ ଆସିବା ପରେ ସତ୍ୟର ଜୟ ହେଉ ବୋଲି ଟ୍ୱିଟ୍ କରି କହିଛନ୍ତି ବୈଜୟନ୍ତ ।