ବଳାଙ୍ଗୀର ରାଜପରିବାରରୁ ଏଥର ବଲାଙ୍ଗୀର ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା କନକବର୍ଦ୍ଦନ ସିଂ ଦେଓଙ୍କ ସ୍ତ୍ରୀ ସଂଗୀତା ସିଂ ଦେଓ ତାଙ୍କ ଦିଅରଙ୍କୁ ହରାଇ ବାଜି ମାରିଥିବା ବେଳେ ପାଟଣା ଗଡରେ ସ୍ୱାମୀଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡିଛି । ବଲାଙ୍ଗୀର ଲୋକସଭା ଆସନରୁ ସଂଗୀତା ତାଙ୍କ ଦିଅର କଳିକେଶ ସିଂଦେଓ ଓ କଂଗ୍ରେସ ହେବିୱେଟ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ଙ୍କୁ ପଛରେ ପକାଇ ବିଜୟର ଟିକା ପିନ୍ଧିଛନ୍ତି ।
ଦିଅର କଳିକେଶ ସିଂ ଦେଓଙ୍କ ଠାରୁ ସଂଗୀତା ୯୯୭୬ ଖଣ୍ଡ ଭୋଟରେ ବିଜୟ ହୋଇଥିବା ବେଳେ ତାଙ୍କ ସ୍ୱାମୀ ବିଜେପି ପ୍ରାର୍ଥୀ କନକ ବର୍ଦ୍ଦନ ସିଂ ଦେଓ ପାଟଣାଗଡ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେରଙ୍କ ଠାରୁ ୧୦,୫୦୦ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି । ବଲାଙ୍ଗୀର ଲୋକସଭା ଆସନରେ ସଂଗୀତା ସର୍ବାଧିକ ୪ ଲକ୍ଷ ୯୮ ହଜାର ଭୋଟ ପାଇଛନ୍ତି । ସେହଭଳି କଳିକେଶଙ୍କ ସାନଭାଇ ଅର୍କେଶ ସିଂଦେଓ ମଧ୍ୟ ପରାଜିତ ହୋଇଛନ୍ତି ।
ବଲାଙ୍ଗୀର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ବିଜେଡି ପ୍ରାର୍ଥୀ ଅର୍କେଶ ସିଂ ଦେଓଙ୍କୁ ୫,୩୨୪ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଚଳିତ ଥର ବଲାଙ୍ଗୀରରେ ଏକ ପ୍ରକାର ପରିବାରବାଦ ରାଜନୀତି ଦେଖିବାକୁ ମିଳିଥିଲା । ରାଜପରିବାରରୁ ରାଜା ରାଣୀ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ । ଦୁଇ ଭାଇ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ । ସେହିଭଳି କଂଗ୍ରେସ ଏଠାରେ ବାପା ପୁଅଙ୍କୁ ପ୍ରାର୍ଥୀ କରିଥିଲା ।