ଭଦ୍ରକ (ଏଟିଆର ବ୍ୟୁରୋ); ସବୁଠି ବହୁଛି ନିର୍ବାଚନୀ ହାୱା । ନିର୍ବାଚନକୁ ଆଉ ଅଳ୍ପ କିଛିଦିନ ବାକି ଥିବା ବେଳେ ସବୁ ନିର୍ବାଚନ ମଣ୍ଡଳୀରେ ବୁଲୁଛନ୍ତି ଗଣ୍ଡା ଗଣ୍ଡା ଆଶାୟୀ ପ୍ରାର୍ଥୀ । କେଉଁଠି ନୂଆ ଚେହେରାକୁ ନେଇ ଲଢ଼େଇ ହେବାକୁ ଯାଉଛି ତ ଆଉ କେଉଁଠି ପୁରୁଖା ନେତାଙ୍କ ମଧ୍ୟରେ ହେବ ମହା ସଂଗ୍ରାମ । ତେବେ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ନୂଆ ଚେହେରାକୁ ନେଇ ୩ ପ୍ରମୁଖ ରାଜନୈତିକ ଦଳ ମଇଦାନକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଛି । ଏଠାରେ ବିଜେଡିର ଦବଦବା ଅଧିକ ରହିଥିବା ବେଳେ ବିଜେପି ଏବଂ ବିଜେଡି ମାତ ଦେବା ପାଇଁ ଆରମ୍ଭ କରିଛନ୍ତି ନୂଆ ରଣନୀତି ।
ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ୧୯୯୦ ନିର୍ବାଚନ ଠାରୁ ଆରମ୍ଭ କରି ୨୦୧୪ ମସିହା ପର୍ଯ୍ୟନ୍ତ ଏଠାରେ ରାଜ୍ୟ ରାଜନୀତିର ବରିଷ୍ଠ ନେତା ବିଜୟଶ୍ରୀ ରାଉତରାଜ ବିଧାୟକ ହୋଇ ଆସୁଛନ୍ତି । ସେ ଏଠାରେ ୬ଥର ବିଧାୟକ ହୋଇଥିବା ବେଳେ ବିଜୁ ଜନତାଦଳ ଶାସନରେ ମନ୍ତ୍ରୀ ପଦରେ ମଧ୍ୟ ରହିଛନ୍ତି । କିନ୍ତୁ ଚଳିତ ନିର୍ବାଚନ ସେ ଲଢ଼ିବେ ନାହିଁ ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି । ସାନ ପୁଅ ବିଷ୍ଣୁପ୍ରଦ ରାଉତରାୟଙ୍କ ରାଜନୈତିକ କ୍ୟାରିଅରକୁ ଦୃଷ୍ଟିରେ ବିଜୟଶ୍ରୀ ରାଜନୀତିରୁ ଏକ ପ୍ରକାର ସନ୍ୟାସ ନେବେ ବୋଲି ଚର୍ଚ୍ଚା ହେଉଛି । ବିଷ୍ଣୁ ମଧ୍ୟ ନିର୍ବାଚନ ମଣ୍ଡଳୀରେ ବୁଲି ନିଜର ପ୍ରଚାର ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଛି ।
ବାପା ଏବଂ ଜେଜେବାପା ଏହି ନିର୍ବାଚନ ମଣ୍ଡଳୀ ପାଇଁ ବହୁତ କିଛି ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । ମୋତେ ଯଦି ସୁଯୋଗ ଦେବେ ତେବେ ମୁଁ ମଧ୍ୟ ଆପଣଙ୍କର ସେବା କରିବି । ଏଭଳି ପ୍ରତିଶ୍ରୃତି ଦେଇ ପ୍ରଚାର ଆରମ୍ଭ କରିଦେଇଛନ୍ତି ବିଷ୍ଣୁ । ତେବେ ବିଜେଡି ପକ୍ଷରୁ ନୂଆ ପ୍ରାର୍ଥୀ ନିର୍ବାଚନକୁ ଓହ୍ଲାଉଥିବାରୁ ଉଭୟ ବିଜେପି ଏବଂ କଂଗ୍ରେସ ଏଠାରେ ଫାଇଦା ଉଠାଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ବିଜେପି ପକ୍ଷରୁ ଏଠାରେ ଦୁଇ ଜଣ ଆଶାୟୀ ପ୍ରାର୍ଥୀ ଅଛନ୍ତି । କଂଗ୍ରେସ ଛାଡି ବିଜେପିରେ ମିଶିଥିବା ମାଧବାନନ୍ଦ ମଲ୍ଲିକ ଏବଂ ଜିଲ୍ଲା ଉପସଭାପତି ଅଶୋକ ସାହୁ । ସେପଟେ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଅଶୋକ ଦାଶ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି ।