ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଅଭିନେତାରୁ ରାଜନେତା ବନିଥିବା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ଟିକେଟ ମିଳିବ ନମିଳିବ ବୋଲି କିଛିଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ନବୀନ ନିବାସରୁ ତାଙ୍କୁ ପୂର୍ବରୁ ଡାକରା ଆସିନଥିବାରୁ ଟିକେଟ ମିଳିବନି ବୋଲି ସବୁଛି ଆରମ୍ଭ ହୋଇଥିଲା କଳ୍ପନା ଜଳ୍ପନା । ତେବେ ଗତକାଲି ନବୀନ ନିବାସରୁ ସିଦ୍ଧାନ୍ତଙ୍କୁ ଡାକରା ଆସିବା ପରେ ତାଙ୍କୁ ପୁଣିଥରେ ଟିକେଟ ମିଳିବ ବୋଲି ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ ସିଦ୍ଧାନ୍ତଙ୍କୁ ଯଦି ପୁଣିଥରେ ବ୍ରହ୍ମପୁରରେ ସାଂସଦ ଟିକେଟ ମିଳେ ତେବେ ବିଜେଡିରେ ମୁଆଁ ଖାଇବା ପାଇଁ ଦଳରେ ସାମିଲ ହୋଇଥିବା ହେବିୱେଟ ନେତା ଚନ୍ଦ୍ର ଶେଖରଙ୍କ ଭାଗ୍ୟ କଣ ହେବ ? ଏହାକୁ ନେଇ ସବୁଠି ସମସ୍ତଙ୍କ ମନରେ ଉଠିଛି ପ୍ରଶ୍ନବାଚୀ ।
ରବିବାର ସଂନ୍ଧ୍ୟାରେ ନବୀନ ନିବାସରୁ ସିଦ୍ଧାନ୍ତଙ୍କୁ ଡକରା ଆସିବା ପରେ ସେ ଦଳର ସୁପ୍ରିମୋଙ୍କୁ ଭେଟିଥିଲେ । ତେବେ ଟିକେଟକୁ ନେଇ କୌଣସି କଥା ହୋଇନଥିବା ସୂଚନା ଦେଇଛନ୍ତି ସିଦ୍ଧାନ୍ତ ମହାପାତ୍ର । ସେ କହିଛନ୍ତି କି ଏହା କେବଳ ସୌଜନ୍ୟ ମୂଳକ ସାକ୍ଷାତ । କିନ୍ତୁ ନବୀନ ନିବାସକୁ ସିଦ୍ଧାନ୍ତ ଯିବା ପରେ ଚର୍ଚ୍ଚା ହେଉଛି କି ଯଦି ଚନ୍ଦ୍ରଶେଖରଙ୍କ ମୁହଁକୁ ଚାହିଁ ବ୍ରହ୍ମପୁରରେ ତାଙ୍କୁ ସାଂସଦ ଟିକେଟ ଦିଆଯିବ ତେବେ ସିଦ୍ଧାନ୍ତଙ୍କୁ ଗଞ୍ଜାମ ଜିଲ୍ଲା ଯେ କୌଣସି ନିର୍ବାଚନ ମଣ୍ଡଳୀରେ ବିଧାୟକ ଟିକେଟ ମିଳିପାରେ । ତେବେ ଆରମ୍ଭ ହୋଇଥିବା ଏହି କଳ୍ପନା ଜଳ୍ପନା ଆସନ୍ତା ଦୁଇଦିନ ଭିତରେ ସ୍ପଷ୍ଟ ହୋଇଯିବ ।
ଅପରପକ୍ଷରେ ସିଦ୍ଧାନ୍ତଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା କି ବିଜେଡିରେ ଯଦି ତାଙ୍କୁ ଟିକେଟ ନମିଳେ ତେବେ ସେ ବିଜେପି ମୁହାଁ ହେବେ । କିନ୍ତୁ ସିଦ୍ଧାନ୍ତ ଏହାକୁ ଖଣ୍ଡନ କରିଛନ୍ତି । ମୁଁ ବିଜେଡିରେ ଶେଷ ପର୍ଯ୍ୟନ୍ତ ରହିବି । ଟିକେଟ ନମିଳିଲେ ମଧ୍ୟ ମୋର କୌଣସି ଅସୁବିଧା ନାହିଁ । ଦଳର ସୁପ୍ରିମୋ ମୋତେ ଯେଉଁ ଦାୟିତ୍ୱ ଦେବେ ମୁଁ ତାକୁ ପାଳନ କରିବି । ଗଣମାଧ୍ୟମ ପ୍ରତିନିଧି ପଚାରିଥିଲେ କି ଆପଣ ଟିକେଟ ନପାଇଲେ ସ୍ୱାଧୀନ ଲଢ଼ିବା ପାଇଁ ଇଛା କରିବେ କି? ଉତ୍ତରରେ ସିଦ୍ଧାନ୍ତ କହିଥିଲେ କି ସ୍ୱାଧୀନରେ ଲଢ଼ିଲା ଭଳି ମୋ ପାଖରେ ଅର୍ଥବଳ ନାହିଁ । ତେବେ ବିଜେଡି ପକ୍ଷରୁ ଟିକେଟ ମିଳିବା ନମିଳିବା ଦଳର ସୁପ୍ରିମୋଙ୍କ ଉପରେ ନିର୍ଭର ବୋଲି କହିଛନ୍ତି ସିଦ୍ଧାନ୍ତ ।