ବଲାଙ୍ଗିର (ଏଟିଆର ବ୍ୟୁରୋ); ନିର୍ବାଚନ ପ୍ରଚାରରେ ମାତିଛନ୍ତି ଓଲିଉଡ ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ବିଦୁସ୍ମିତା । ସ୍ୱାମୀଙ୍କ ପାଇଁ ପ୍ରଚାର ଅଭିଯାନ ଚଳାଇଛନ୍ତି ବିଦୁ । ବଲାଙ୍ଗିରରେ ବିଦୁଙ୍କ ସ୍ୱାମୀ ଅନନ୍ତ ଦାସଙ୍କ ଉପରେ ଭରଷା କରି ଟିକେଟ ଦେଇଛି ବିଜେପି । ପ୍ରଥମଥର ପାଇଁ ନିର୍ବାଚନ ମଇଦାନରେ ପାଦ ଦେଇଛନ୍ତି ଅନନ୍ତ । ୧୦ ବର୍ଷ ହେବ ଦଳରେ ରହି ଶୃଙ୍ଖଳିତ କର୍ମୀଭାବରେ କାମ କରିବା ସହିତ ବଲାଙ୍ଗିରବାସୀଙ୍କ ନିକଟରେ ପହଁଞ୍ଚିଛନ୍ତି ।
ଅନନ୍ତଙ୍କ ପ୍ରଚାର ଜୋରସୋରରେ ଚାଲିଛି ନିର୍ବାଚନ ମଣ୍ଡଳୀରେ । ଦ୍ୱୀତୀୟ ପର୍ଯ୍ୟାୟରେ ଏଠାରେ ନିର୍ବାଚନ ହେବାକୁ ଥିବାରୁ ହାତରେ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ରହିଛି । ଏଣୁ ସ୍ୱାମୀଙ୍କ ବିଜୟ ପାଇଁ ଲୋକଙ୍କ ପାଖକୁ ଯାଇ ପହଁଞ୍ଚୁଛନ୍ତି ବିଦୁ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନାକୁ ଭୋଟରଙ୍କୁ ବୁଝାଉଛନ୍ତି ବିଦୁ । ରାଜ୍ୟରେ ବିଜେଡି ସରକାରଙ୍କ ସମୟରେ ମହିଳାଙ୍କ ପ୍ରତି ହୋଇଥିବା ଅଚ୍ୟାଚାରକୁ ମୁଖ୍ୟ ଅସ୍ତ୍ର କରି ଭୋଟରଙ୍କ ମନମୋହିବା ପାଇଁ ଚେଷ୍ଟା କରୁଛନ୍ତି ।
ବିଦୁ ସ୍କୁଟିରେ ନିର୍ବାଚନ ପ୍ରଚାର ଚଳାଇଥିବା ଦେଖିବାକୁ ମିଳିଛି । ଭୋଟରଙ୍କ ମନ ମୋହିବା ପାଇଁ ଘରକୁ ଘର ବୁଲି ସ୍ୱାମୀଙ୍କ ସପକ୍ଷରେ ଭୋଟ ଭିକ୍ଷା ମଧ୍ୟ କରୁଛନ୍ତି । କିଛିଦିନ ପୂବେ ବିଜେପିରେ ଯୋଗ ଦେଇଥିବା ବିଦୁସ୍ମିତା ଏବେ ରାଜନୀତି ମଇଦାନରେ ବେଶ ପରିଚିତ ମଧ୍ୟ ହୋଇଗଲେଣି । ଏଣୁ ତାଙ୍କ ଉପରେ ଭରଷା କରି ମଧ୍ୟ ଭୋଟର ମତଦାନ କରିବେ ବୋଲି ଆଶା କରାଯାଇଛି । ମୁଖ୍ୟତଃ ଯୁବ ଭୋଟରମାନେ ଆକୃଷ୍ଟ କରିବା ପାଇଁ ପ୍ରଚାରକୁ ବାହାରିଛନ୍ତି ବିଦୁ । ତାଙ୍କ ନାଚର ଠୁମକା ଆଜି ମଧ୍ୟ ସମସ୍ତଙ୍କ ମନରେ ରହିଛି ।