ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ସାଧାରଣ ନିର୍ବାଚନରେ ଓଡିଶାରେ ହୋଇପାରେ ମହାମେଣ୍ଟ । ଏଭଳି ସୂଚନା ଦେଇଛନ୍ତି ସିପିଆଇ ରାଜ୍ୟ ପ୍ରଭାରୀ ଡି.ରାଜା । ଆସନ୍ତା ନିର୍ବାଚନରେ ବିଜେପି ଏବଂ ବିଜେଡିକୁ ବିରୋଧ କରି ସିପିଆଇ, ସିପିଏମ୍, ଜେଏମ୍ଏମ୍ ଓ କଂଗ୍ରେସ ସହ ମିଶି ନିର୍ବାଚନ ମଇଦାନକୁ ଓହ୍ଲାଇବ ମେଣ୍ଟ । ଆଜି ସକାଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ମଧ୍ୟ ଆଲୋଚନା ହୋଇଛି । କେତେ ସିଟ୍ରେ ସିପିଆଇ ଲଢିବ, ସେନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ।
ବିଜେପି ଏବଂ ବିଜେଡିକୁ ଶାସନ ଗାଦିରୁ ହଟାଇବା ପାଇଁ ଏହି ମହାମେଣ୍ଟର ଆହ୍ୱାନ ଦିଆଯାଇଛି । ତେବେ ପୂର୍ବରୁ ଓଡିଶା ଗସ୍ତରେ ଆସିଥିବା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଥିଲେ କି ବିଜେଡି ଏବଂ ବିଜେପି ମଧ୍ୟରେ ସମ୍ପର୍କ ରହିଛି । ଏଣୁ କେନ୍ଦ୍ର ଏବଂ ରାଜ୍ୟରେ ଏହି ଦୁହିଁ ସରକାରଙ୍କୁ ଶାସନ ଗାଦିରୁ ହଟାଇ ଆସନରେ ବସିବା ଲକ୍ଷରେ ଆରମ୍ଭ ହେବ ଏହି ମହାମେଣ୍ଟ । ଓଡ଼ିଶାରେ ଏଭଳି ମେଣ୍ଟ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମ୍ମତି ଦେବା ପରେ ପିସିସି ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ବୋଲି ସେ କହିଥିଲେ। ତେବେ ଡି. ରାଜାଙ୍କ ମନ୍ତବ୍ୟ ଉପରେ ତାଙ୍କ ପ୍ରତିକ୍ରିୟା ମିଳିନାହିଁ।
କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମନକୁଖୀ ଶସନ କରୁଛନ୍ତି । ଏଣୁ ଏହି ଦୁଇ ସରକାରଙ୍କୁ ଶାସନ ଗାଦିରୁ ହଟାଇବା ନିହାତି ଦରକାର । ରାଜ୍ୟ ଶାସନ ଭାରରେ ବିଜେଡି ଦୀର୍ଘ ରହିବା ଫଳରେ ରାଜ୍ୟରେ କୌଣସି ବି ଉନ୍ନତି ହୋଇନଥିବା ଅଭିଯୋଗ କରିଛନ୍ତି ବିରୋଧୀ । ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା ଏବଂ ଅନ୍ୟାୟ ବଢ଼ିବାରେ ଲାଗିଛି । ଏଣୁ ସରକାରର ଅବସାନ ଘଟିବା ନିହାତି ଦରକାର । ଏଣୁ ଏହି ମହାମେଣ୍ଟ ଗଠନ ହେବାକୁ ଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।