ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ସରକାର ଓଡିଶାବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଉଛନ୍ତି । ମିଛରେ କେବଳ ଓଡିଆଙ୍କୁ ଭଲ ପାଉଥିବା କହି ଭଣ୍ଡେଇବା ସହ ବାରମ୍ବାର ନିର୍ବାଚନ ଜିତି ଆସୁଛନ୍ତି । ଅପରପକ୍ଷରେ କେନ୍ଦ୍ର ଦେଉଥିବା ଯୋଜନାକୁ ନିଜ ନାଁରେ ଘୋଷଣା କରି ଭୋଟରଙ୍କ ମନମୋହିବା ପାଇଁ ଚେଷ୍ଟା କରୁଛନ୍ତି ନବୀନ । ଏଣୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ । ରାଜ୍ୟ ବିଜେପି ପାର୍ଟି ଅଫିସରେ ଏକ ପ୍ରେସମିଟ କରି ନବୀନଙ୍କୁ ଟାର୍ଗେଟ କରିଛନ୍ତି ।
କେନ୍ଦ୍ରକୁ ବିରାଡି ବୈଷ୍ଣବ କହି ସମାଲୋଚନା କରୁଥିବା ନବୀନ ପଟ୍ଟନାୟକ ନିଜେ ବିରାଡି ବୈଷ୍ଣବ ବୋଲି କହିଛନ୍ତି ବିଶ୍ୱଭୂଷଣ । ଦୀର୍ଘ ୧୯ ବର୍ଷ ଧରି ଓଡିଶାରେ ନବୀନ ପଟ୍ଟନାୟକ ଶାସନ କରି ଆସୁଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ଓଡିଆ କହିପାରୁନଥିବା ଅତ୍ୟନ୍ତ ନିନ୍ଦନୀୟ । ଓଡିଶାରେ ଟଙ୍କିକିଆ ଚାଉଳ ଦେଇ ଡେଙ୍ଗୁରା ପିଟୁଥିବା ରାଜ୍ୟ ସରକାର କେତେ ଟଙ୍କା ଦେଉଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ବିଶ୍ୱଭୂଷଣା । କେନ୍ଦ୍ର ୨୯ ଟଙ୍କା ଦେଉଥିବା ବେଳେ ରାଜ୍ୟ ମାତ୍ର ୨ ଟଙ୍କା ଦେଉଛି । କିନ୍ତୁ ଓଡିଶାବାସୀଙ୍କ ଆଗରେ ବାହାସ୍ପଟ ମାରି ଲୋକଙ୍କୁ ଭ୍ରାନ୍ତରେ ପକାଉଛନ୍ତି ନବୀନ । ଓଡିଶାରେ ଦୀର୍ଘ ୨୨ ବର୍ଷଧରି ଓଡିଶାବାସୀଙ୍କୁ ଠକି ଆସୁଛନ୍ତି ବୋଲି ମଧ୍ୟ କହିଛନ୍ତି ବିଶ୍ୱଭୂଷଣ ।
କେବଳ ଏତିକି ନୁହେଁ ଚାଷୀଙ୍କ ପ୍ରସଙ୍ଗକୁ ନେଇ ମଧ୍ୟ କଡା ସମାଲୋଚନା କରିଛନ୍ତି ଶ୍ରୀ ହରିଚନ୍ଦନ । ସେ କହିଛନ୍ତି କି ରାଜ୍ୟରେ ଚାଷ ଜମିକୁ ପାଣିନଥିବା ବେଳେ ଧାନର ଅଭାବୀ ବିକ୍ରି ହେଉଛି । କିନ୍ତୁ ସରକାର ଯୋଜନା ନାଁରେ ଦଳୀୟ କର୍ମୀଙ୍କ ଟଙ୍କା ବାଣ୍ଟୁଥିବା ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।