ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ଚଳିତ ସାଧାରଣ ନିର୍ବାଚନରେ ବିଜେଡିକୁ ବହୁମତ ମିଳିଥିଲେ ସୁଦ୍ଧା ବହୁ ହେବିୱେଟ ନେତାଙ୍କୁ ଏଥର ପରାଜୟ ସ୍ୱୀକାର କରିବାକୁ ପଡିଛି । ଯାହାକୁ ନେଇ ଏବେ ବିଜେଡିରେ ଚାଲିଛି ସମୀକ୍ଷା । କେଉଁ ନେତା କେଉଁ କାରଣ ପାଇଁ ହାରିଛନ୍ତି ତାକୁ ନେଇ ଚାଲିଛି ଆଲୋଚନା । ଏହି ଅବସରରେ ପରାଜିତ ପ୍ରାର୍ଥୀଙ୍କୁ ନବୀନ ନିବାସରୁ ଡାକରା ମଧ୍ୟ ମିଳିଛି । ବିଜେଡି ଭୋଟ କାହିଁକି କମିଲା ତାକୁ ଡ଼େି ଆରମ୍ଭ ହୋଇଛି ପୋଷ୍ଟମର୍ଟମ ।ଚଳିତ ଥର ବିଜେଡି ୧୪୬ ଟି ଆସନରୁ ୧୧୨ ଟି ଆସନ ପାଇ ସରକାର ଗଢିବ ।
ତେବେ କେତେକ ପ୍ରାର୍ଥୀଙ୍କୁ ଜାଣିଜାଣି ତାଙ୍କ ଦଳୀୟ ଲୋକ ହରାଇ ଥିବା ଅଭିଯୋଗ ମଧ୍ୟ ସୁପ୍ରିମୋଙ୍କ ପାଖରେ ପହଞ୍ଚିଛି । ତେବେ ଏହାକୁ ନେଇ ବଲାଙ୍ଗୀରରୁ ଏକ ଭିନ୍ନ ପ୍ରତିକ୍ରିୟା ଆସିଛି । କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାଁ ଏ ନେଇ ମୁହଁ ଖୋଲିଛନ୍ତି । ସେ ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ କଳିକେଶ ସିଂହଦେଓ ଟିକେଟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହା ନ ହେବାରୁ ଦଳରେ ଅସନ୍ତୋଷ ରହିଥାଇପାରେ ଯାହା ଫଳରେ ଦଳ ହାରିଥାଏ ବୋଲି ସେ କହିଛନ୍ତି । ସେପଟେ କିଶୋର ମହାନ୍ତି କହିଛନ୍ତି ବଲାଙ୍ଗୀରରେ ବିଜେଡି କଣ ପାଇଁ ହାରିଲା ତାହା ସମୀକ୍ଷା ହେବା ଦରକାର । ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଲୋଇସିଂହାରେ ଉପଯୁକ୍ତ ପ୍ରାର୍ଥୀ ଚୟନ ହୋଇନଥିବା କହିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଚଳିତ ନିର୍ବାଚନରେ ବଲାଙ୍ଗୀରରେ ରାଜ ପରିବାରରୁ କନକ ବର୍ଦ୍ଦନ ସିଂଦେଓ ଓ ତାଙ୍କ ପତ୍ନୀ ସଂଗୀତା ସିଂ ଦେଓ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ଦୁଇଭାଇ କଳିକେଶ ସିଂ ଦେଓ ଏବଂ ଅର୍କେଶ ସିଂଦେଓ ପ୍ରାର୍ଥୀ ହୋଇଥିଲେ । ବଲାଙ୍ଗୀର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ କଳିକେଶ ସିଂ ଦେଓ ହାରିଥିବା ବେଳେ ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ଅର୍କେଶ ସିଂ ଦେଓ ପରାଜିତ ହୋଇଛନ୍ତି ।