ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚଳିତ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଦୁଇଟି ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିଲେ । ନିଜର ପାରମ୍ପାରିକ ଆସନ ହିଞ୍ଜିଳି ଓ ବିଜେପୁରରୁ ନବୀନ ପ୍ରାର୍ଥୀ ହୋଇ ବିଜୟ ହୋଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନବୀନ କେଉଁ ଆସନ ରଖିବେ ଏବଂ କେଉଁ ଆସନ ଛାଡିବେ ? ତାକୁ ନେଇ ଦ୍ୱନ୍ଦରେ ରହିଛି ଓଡିଶା ।
ସେହିଭଳି ନବୀନ ଜିତିଥିବା ଦୁଇଟି ଆସନରୁ ଗୋଟିଏ ଆସନ କାହାକୁ ଦେବେ ତାକୁ ନେଇ ଉଭୟ ବିରୋଧୀ ଓ ଶାସକ ଗୋଷ୍ଠୀରେ ଚାଲିଛି ଆଲୋଚନନା । ଶୁଣିବାକୁ ମିଳୁଥିଲା ନବୀନ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ଏଥର ଆଗକୁ ଆଣିପାରନ୍ତି । ବିଜେଡି ଆଗାମୀ ଉତ୍ତରାଧିକାରୀ ଭାବେ ନବୀନ ତାଙ୍କ ପୁତୁରାକୁ ସୁଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହାକୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଣ୍ଡନ କରିଛନ୍ତି ।
ଏକ ଜାତୀୟ ଇଂରାଜୀ ଖବର କାଗଜ ଓ ବୈଦୁତିକ ଗଣମାଧ୍ୟମକୁ ସାକ୍ଷାତକାରରେ ନବୀନ କହିଛନ୍ତି ବିଜେଡିରୁ ହିଁ ହେବେ ପରବର୍ତ୍ତୀ ଉତ୍ତରାଧିକାରୀ। ଲୋକେ ହିଁ ତାଙ୍କ ଉତ୍ତରାଧିକାରୀ ବାଛିବେ। ତେବେ ପରିବାରରୁ କେହି ରାଜନୀତିକୁ ଆସିବେ ନାହିଁ ବୋଲି ନବୀନ ପ୍ରତିକ୍ରିୟାରେ କହିଛନ୍ତି । ସେହିଭଳି ସେ ଦୁଇଟି ଆସନରୁ କେଉଁ ଆସନକୁ ରଖିବେ ବୋଲି ପ୍ରଶ୍ନରେ ଏହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ବୋଲି ନବୀନ ଉତ୍ତର ରଖିଛନ୍ତି ।