ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିରୋଧୀ କଂଗ୍ରେସ ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ପଛରେ ପଡିଯାଇଛି । ନାମାଙ୍କନ ପତ୍ର ଆରମ୍ଭ ହୋଇ ଯାଇଥିଲେ ସୁଦ୍ଧା ବିଜେପି ପ୍ରାର୍ଥୀ ଘୋଷଣା କରିନଥିବାରୁ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ୧୨୦ ପ୍ଳସ ନାରା ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ପୂର୍ବରୁ ବିଜେପି ଡେଙ୍ଗୁରା ପିଟୁଥିଲା । କିନ୍ତୁ ପ୍ରାର୍ଥୀ ଘୋଷଣା ବିଳମ୍ବ ହେବାକୁ ନେଇ ବିରୋଧୀମାନେ ସମାଲୋଚନା କରିବା ଆରମ୍ଭ କରି ଦେଲେଣି । ବିଜେଡି ସମାଲୋଚନା କରି କହିଛି କି ବିଜେପି ପାଖରେ ୧୪୭ଜଣ ପ୍ରାର୍ଥୀ ନାହାଁନ୍ତି । ଅନ୍ୟ ଦଳର ଅସନ୍ତୁଷ୍ଟଙ୍କୁ ଦଳରେ ସାମିଲ କରିବା ପାଇଁ ଅନାଇ ବସିଛି ଦଳ । ଯେଉଁ କାରଣରୁ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ କରୁଛି ବିଜେପି ।
ବହୁ ବିଜେଡି ଏବଂ କଂଗ୍ରେସର ଅସନ୍ତୁଷ୍ଟ ନେତା ବିଜେପିରେ ଯୋଗ ଦେଇଛନ୍ତି । ବିରୋଧୀ ଦଳର କିଛି ଅଲୋଡା ନେତାଙ୍କୁ ମଧ୍ୟ ଦଳରେ ସାମିଲ କରିଛି ବିଜେପି । ବିଜେଡିରେ ଦାମ,ବୈଜୟନ୍ତ,ବାବୁ ସିଂହ ଏବଂ ବଳଭଦ୍ର ମାଝୀଙ୍କ ଭଳି ନେତା ଅଲୋଡା ହେବା ପରେ ସେମାନେ ବିଜେପି ଭରଷାରେ ପଦ୍ମ ପୋଖରୀକୁ ଡେଇଁ ପଡିଛନ୍ତି । ତେବେ ଦଳରେ କିଛି ଅଭିଜ୍ଞ ଏବଂ ଯୁବ ନେତାଙ୍କୁ ସାମିଲ କରିବା ପରେ ଦଳର ଶକ୍ତି ବୃଦ୍ଧି ହୋଇଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲେ ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବା ବିଳମ୍ବ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆସନ୍ତା ଦୁଇ ଦିନ ମଧ୍ୟରେ ବିଜେପି ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସୂଚନା ମିଳିଛି । ତେବେ ସମସ୍ତଙ୍କ ନଜର ବିଜେଡି ଏବଂ କଂଗ୍ରେସକୁ ସାମ୍ନା କଲା ଭଳି କେଉଁଠି କେଉଁ ନେତାଙ୍କୁ ମିଳିବ ଟିକେଟ ।