ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ନୂଆ ଅଭିଯାନ ଆରମ୍ଭ କରିଛି ବିଜେଡି । ଏହି ଯୋଜନାର ନାଁ ରହିଛି ‘ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ ପାଳନ କରନ୍ତି ନବୀନ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ ଅବସରରେ ଦଳ ସଭାପତି ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନରେ ପ୍ରତ୍ୟେକ ଓଡିଆଙ୍କୁ ସାମିଲ କରାଯିବ ବୋଲି ଦଳ ତରଫରୁ କୁହାଯାଇଛି । ବିଜୁ ମହିଳା ଜନତା ଦଳ ସଦସ୍ୟ, ପ୍ରାୟ ୮୬ ଲକ୍ଷ ପରିବାରକୁ ଯାଇ ତୃଣମୂଳସ୍ତରରୁ ଲୋକଙ୍କ ମତାମତ ନେବେ। କ’ଣ ରହିଛି ସେମାନଙ୍କ ସୁବିଧା, ଅସୁବିଧା ପଚାରି ବୁଝିବା ପରେ ପ୍ରସ୍ତୁତ ହେବ ନିର୍ବାଚନୀ ଇସ୍ତାହାର।
ଏହି କାର୍ଯ୍ୟକ୍ରମ ଜରିଆରେ ବିଜେପି କର୍ମୀମାନେ ଘର ଘର ବୁଲି ଲୋକଙ୍କ ପାଖରୁ ମତ ସଂଗ୍ରହ କରିବ । ବିଜେଡି ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ଲୋକଙ୍କୁ ଜଣାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ତେବେ ଏହି ଅଭିଯାନ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବିଜେଡିର ଏହି କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି ବିରୋଧୀ । ନିର୍ବାଚନ ପାଖେଇ ଆସୁଥିବାରୁ ଶାସକ ଦଳ ଆଗୁଆ ପ୍ରଚାର କରିବା ପାଇଁ ଏଭଳି ଯୋଜନା ଆରମ୍ଭ କରିଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ସରକାର ୧୯ ବର୍ଷ ଶାସନ ମଧ୍ୟରେ ଓଡିଶାରେ କଣ ବିକାଶ ହୋଇଛି ତାହା ଜନସାଧାରଣ ଜାଣିଛନ୍ତି । ଘର ଘର ବୁଲି ଜଣେଇ ହେବା କିଛି ଆବଶ୍ୟକ ନାହିଁ । ଘର ଘର ବୁଲି ଶାସକ ଦଳ ଭୋଟ ମାଗିବା ପାଇଁ ପ୍ରୟାସ କରିବ ବୋଲି ଅଭିଯୋଗ କରୁଛନ୍ତି ବିରୋଧୀ ।