ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚଳିତ ନିର୍ବାଚନରେ ବିଜେପି କାହିଁକି ବିଜେଡିକୁ ମାତ ଦେଇ ପାରିଲା ନାହିଁ, କୋଉଠି ରହିଲା ଭୁଲ, କାହିଁକି ଦଳକୁ ପରାଜୟର ସାମ୍ନା କରିବାକୁ ପଡିଲା ସେ ନେଇ ଆଜି କୋର କମିଟି ବୈଠକ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଜେପିର ବହୁ ହେବିୱେଟ ନେତା ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ ନିର୍ବାଚନ ପ୍ରଚାର ବେଳେ ରାଜ୍ୟରେ ବିଜେପି ୧୨୦ ପ୍ଲସ ମିଶନ କରିଥିଲା ।
ଯାହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ କଥା କଟାକଟି ମଧ୍ୟ ଦେଖିବାକୁ ମିଳିଥିଲା । ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟରେ ୧୨୦ ଟି ବିଧାନସଭା ଆସନ ଜିତିବ ବୋଲି ଦୃଢକ୍ତି ପ୍ରକାଶ କରିଥିବା ବେଳେ ନିର୍ବାଚନରେ ମାତ୍ର ୨୩ ଟି ବିଧାନସଭା ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ବିଜେପି ରାଜ୍ୟରେ ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଆସିଥିଲେ ସୁଦ୍ଧା ବିଜେଡି ତାର ସ୍ଥିତି ବଜାୟ ରଖିଛି ।
ଏହି ଅବସରରେ ବିଜେପିର ପ୍ରଦର୍ଶନ କାହିଁକି ଖରାପ ହେଲା ତାର କାରଣ ଖୋଜିବା ଆରମ୍ଭ କରିଛି ଦଳ । ଅନ୍ୟପଟେ ବିଜେପୁର ଉପନିର୍ବାଚନରେ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି । ବିଜେପୁରରେ ପ୍ରଦୀପ ପୁହୋହିତ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏନେଇ ଦଳ ପକ୍ଷରୁ ବିଧିବଧ ଭାବେ କୌଣସି ଘୋଷଣା କରା ଯାଇନାହିଁ ।