ଭୁୁବନେଶ୍ୱର ( ଏଟିଆର ବ୍ୟୁରୋ): ଶପଥ ପାଠ ପରେ ଗତକାଲି ପ୍ରଥମ ଥର ପାଇଁ ଓଡିଶା ଅସିଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ଏହି ଅବସରରେ ଦୁଇ ମନ୍ତ୍ରୀଙ୍କୁ ରାଜ୍ୟ ବିଜେପି ପକ୍ଷରୁ କରାଯାଇଥିଲା ବିପୁଳ ସମ୍ବର୍ଦ୍ଧନା । ତେବେ ଏହିଭଳି ଏକ ସମୟରେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଏକ ବୟାନ ରାଜ୍ୟ ରାଜନୀତିକୁ ଆଉ ଟିକେ ଉଷ୍ମ କରିଦେଇଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦାମ କହିଛନ୍ତି ଓଡିଶାରୁ ୨ ଜଣ କେନ୍ଦ୍ରମନ୍ତ୍ରୀ ହୋଇ ନାହାଁନ୍ତି । ଓଡିଶାରୁ କେବଳ ପ୍ରତାପ ଷଡଙ୍ଗୀ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି ବୋଲି ଏହି ବରିଷ୍ଠ ନେତା ମତ ରଖିଛନ୍ତି ।
ସେ କହିଛନ୍ତି ସାଧାରଣ ଲୋକ କହୁଛନ୍ତି ଓଡିଶାରୁ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି । ମାତ୍ର ଧର୍ମେନ୍ଦ୍ର ପ୍ରଧାନ ଆନ୍ଧ୍ରପ୍ରଦେଶ କୋଟାରୁ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଓଡିଆ ହୋଇଥିଲେ ମଧ୍ୟ ସେ ଓଡିଶାରୁ ମନ୍ତ୍ରୀ ହୋଇ ନାହାଁନ୍ତି । ଧର୍ମେନ୍ଦ୍ର ପ୍ରଥମେ ବିହାର ଓ ପରେ ଆନ୍ଧ୍ରପ୍ରଦେଶରୁ ରାଜ୍ୟସଭାକୁ ଯାଇ ମନ୍ତ୍ରୀ ହୋଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଗତଥର ରାଜ୍ୟରୁ ଜଣେ ବିଜେପି ସାଂସଦ ବିଜୟ ହୋଇଥିଲେ ମଧ୍ୟ ସେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ହୋଇଥିଲେ । ମାତ୍ର ଏଥର ରାଜ୍ୟରୁ ୮ ଜଣ ସାଂସଦ ବିଜୟ ହୋଇଥିଲେ ସୁଦ୍ଧା କେବଳ ଜଣେ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ହୋଇଛନ୍ତି । ତେଣୁ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମୟରେ ଓଡିଶା ପ୍ରତି ଧ୍ୟାନ ଦେବେ ବୋଲି ଆଶା କରିଛନ୍ତି ଦାମ ।