ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନକୁ ନେଇ ଆରମ୍ଭ ହୋଇ ଯାଇଛି କାଦୁଅ ଫିଙ୍ଗାଫିଙ୍ଗି । ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି ଦଳ । ତେବେ କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଅଚ୍ୟୁତସାମନ୍ତଙ୍କ କଳିଙ୍ଗ ଟିଭି ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲଙ୍ଘନ କରୁଛି ବୋଲି ଅଭିଯୋଗ କରିଛି ବିଜେପି । ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କଳିଙ୍ଗ ଟିଭିର ଚ୍ୟାନେଲ ନିର୍ଦ୍ଦେଶକ ଏବଂ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି ।
ସୂଚନାଯୋଗ୍ୟ , ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ସରକାରୀ ବିଜ୍ଞାପନ ଚ୍ୟାନେଲରେ ପ୍ରସାରଣ କରିପାରିବେ ନାହିଁ ଟିଭି ଚ୍ୟାନେଲ । କିନ୍ତୁ କଳିଙ୍ଗ ଟିଭି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଜ୍ଞାପନକୁ ପ୍ରସାରଣ କରିବା ଜାରି ରଖିଛି । ଯାହାକି ଖୋଲାଖୋଲି ଭାବରେ ନିର୍ବାଚନ ଆଚରଣ ବିଧିକୁ ଉଲଙ୍ଘନ କରୁଛି । ଦଳ ପକ୍ଷରୁ ଆହୁରି କୁହାଯାଇଛି ଯେ, ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିୟମ ୫୦୯/୭୫/୨୦୦୪/ଜିଏସକୁ ଅବମାନନା କରି ସମ୍ପୃକ୍ତ ଟିଭି ଚ୍ୟାନେଲ ଲଗାତାର ଭାବରେ ମିଶନ ଶକ୍ତି ଗୀତର ଅଡିଓ ଏବଂ ଭିଡିଓକୁ ପ୍ରସାରଣ କରୁଛି। ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ଦଳର ପ୍ରଚାର କରି ଏହି ଟିଭି ଚ୍ୟାନେଲ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରିବା ସହ ସୁପ୍ରିମକୋର୍ଟ ଟିଭି ଚ୍ୟାନେଲଗୁଡ଼ିକରେ ରାଜନୀତି ସର୍ମ୍ପକିତ ଖବର ପ୍ରସାରଣକୁ ନେଇ ୨୦୧୪ ଏପ୍ରିଲ ୧୩ ତାରିଖରେ ଦେଇଥିବା ଆଦେଶକୁ ମଧ୍ୟ ଅମାନ୍ୟ କରୁଛି।