ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଖଣି ଦୁର୍ନିୀତିରେ ସମ୍ପୃକ୍ତ ଥିବା ମାଲିକଙ୍କଠାରୁ ଚାନ୍ଦା ଆଦାୟ କରି ସରକାର ବିଜୁ ଯୁବ ବାହିନୀକୁ ମୋବାଇଲ ଯୋଗାଉଛନ୍ତି । ରାଜ୍ୟରେ ୩୧୪ ବ୍ଳକରେ ଯୁବ ବାହିନୀ କର୍ମୀଙ୍କୁ ବଣ୍ଟାଯାଇଛି ମୋବାଇଲ । ଯେଉଁଥି ପାଇଁ ଖର୍ଚ୍ଚ ହୋଇଛି ୭୫୦ କୋଟିରୁ ଅଧିକ ଟଙ୍କା । ପାଖାପାଖି ୨୦ ଲକ୍ଷ ମୋବାଇଲ କିଣି ସରକାର ଯୁବ ବାହିନୀଙ୍କୁ ବାଣ୍ଟିଛନ୍ତି । ତେବେ ସରକାର ଏହି ମୋବାଇଲ ବାଣ୍ଟି ନାଁ କମଉଥିବା ବେଳେ ଏହା ପଛରେ ଲୁଚି ରହିଛି ବହ ରହସ୍ୟ । ଖଣି ମାଫିଆଙ୍କଠାରୁ ଚାନ୍ଦା ଆଦାୟ କରି ସରକାର ମୋବାଇଲ ବାଣ୍ଟୁଛନ୍ତି ବୋଲି ଆଜି କ୍ରାଇମବ୍ରାଞ୍ଚ ଇଡବଲ୍ୟୁଙ୍କ ନିକଟରେ ଅଭିଯୋଗ କରିଛି ବିଜେପି ।
ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିିଙ୍କ ସହ ବିଜେପି କର୍ମୀମାନେ କ୍ରାଇମବ୍ରାଞ୍ଚ ଇଡବଲ୍ୟୁଙ୍କ ନିକଟରେ ଏଭଳି ଅଭିଯୋଗ କରିଛନ୍ତି । ସେ ଏହି ଅଭିଯୋଗ ଯୁବ ବାହିନୀ ସିଇଓ ପ୍ରେମଚାନ୍ଦ ଚୌଧୁରୀଙ୍କ ନାମରେ ଦେଇଛନ୍ତି । ପ୍ରେମଚାନ୍ଦ ଖଣି ମାଲିକଙ୍କ ସହ କଥା ହୋଇଛନ୍ତି ଏବଂ ଏହି ମାଲିକମାନେ ମୋବାଇଲ ଯୋଗାଇଛନ୍ତି । ବିଜେଡି ଏଭଳି ଭାବରେ ଚାନ୍ଦା ଆଦାୟ କରି ଦଳକୁ ଦୃଢ଼ କରୁଛି ବୋଲି ମଧ୍ୟ ସମୀର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ଏହା ପୂର୍ବରୁ ଏ ମାମଲାରେ ଆମେ ସବୁ ପ୍ରମାଣ ଓ ତଥ୍ୟ ସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ଆୟକର ବିଭାଗ, ରାଜ୍ୟପାଳ ଓ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲୁ।
ବିଜୁ ଯୁବ ବାହିନୀ ଗଠନ ହେବା ପରଠାରୁ ବିରୋଧୀମାନେ ଏହାକୁ କଡା ସମାଲୋଚନା କରୁଛନ୍ତି । ଏହି ଯୁବ ବାହିନୀକୁ ଗୁଣ୍ଡା ବାହିନୀ ବୋଲି ମଧ୍ୟ କହିଛନ୍ତି ବିରୋଧୀ । ନିର୍ବାଚନ ପାଖେଇ ଆସୁଥିବାରୁ ଯୁବ ଭୋଟରଙ୍କ ମନ ମୋହିବା ପାଇଁ ସରକାର ଏହା ଗଠନ କରିଛନ୍ତି ଏବଂ ଚାନ୍ଦା ଟଙ୍କାରେ ମୋବାଇଲ କିଣି ଯୁବ ବାହିନୀ ସଦସ୍ୟଙ୍କୁ ବାଣ୍ଟିଛନ୍ତି । ତେବେ ଆଣ୍ଡୋଏଡ ଯୁଗରେ ଯୁବକମାନେ ଏହି ମୋବାଇଲକୁ ପସନ୍ଦ କରୁନଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଆମେ ଖବର ପ୍ରସାରଣ ମଧ୍ୟ କରିଥିଲୁ କି ଯୁବ ବାହିନୀ କର୍ମୀମାନେ ଏହି ମୋବାଇଲକୁ ବାପା ଜେଜେବାପାଙ୍କୁ ଦେଇଥିବା ବେଳେ କେହି କେହି ଗାର୍ଲଫ୍ରେଣ୍ଡକୁ ମଧ୍ୟ ଗିଫ୍ଟ ଦେଇଛନ୍ତି । କେବଳ ମାଗଣାରେ ଏହା ମିଳୁଥିବାରୁ ନେଇ ଯାଉଛନ୍ତି ଯୁବକ । ଏଭଳି ବିଭିନ୍ନ ଅଭିଯୋଗ ମଧ୍ୟ ଆସିଛି ଜନ ସାଧାରଣଙ୍କ ନିକଟରୁ ।