ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାଜ୍ୟରେ ଆଦୌ ସୁରକ୍ଷିତ ନୁହନ୍ତି ମହିଳା । ସ୍କୁଲ ଛାତ୍ରୀ ଏଠି ମା’ ହେଉଛି । ରାତି ପାହିଲେ ଏଭଳି ଘଟଣା ରାଜ୍ୟର କେଉଁଠି ନା’ କେଉଁଠି ନଜରକୁ ଆସୁଥିବା ବେଳେ ଏହାର ପ୍ରତିବାଦ କରି ରାଜ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ଟାର୍ଗେଟ କରିଛି ଅପାରଗ ସରକାରକୁ । ସରକାରଙ୍କ ନିକମାପଣ ଯୋଗୁ ଏଭଳି ଲଜ୍ଜାକର ଘଟଣା ସାମ୍ନାକୁ ଆସୁଥିବା ଅଭିଯୋଗ କରିଛି ।
ତେଣୁ ସରକାର ଚୁଡି ପିନ୍ଧି ଘରେ ବସିବା ଦରକାର ବୋଲି ଏବେ ମୋର୍ଚ୍ଚା ଆରମ୍ଭ କରିଛି ମିଶନ ଚୁଡି । ଆଜି ଶତାଧିକ ବିଜେପି ମହିଳା ମୋର୍ଚ୍ଚା କର୍ମୀ ହାତରେ ଚୁଡି ଧରି ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲେ । ହେଲେ ମଝି ରାସ୍ତାରେ ବାଟ ଓଗାଳିଛି ପୁଲିସ । ଯାହାକୁ ନେଇ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିବା ନଜରକୁ ଆସିଛି । ମହିଳା କର୍ମୀଙ୍କୁ ପୁଲିସ ଅଟକାଇବାକୁ ଯାଇଥିବା ବେଳେ ପୁଲିସ ବି ସେମାନଙ୍କ କବଳରୁ ବର୍ତ୍ତିନି । ପୁଲିସ ଉପରକୁ ଚୁଡି ଫିଙ୍ଗି କର୍ମୀମାନେ ଠେଲାପେଲା କରିଛନ୍ତି ।
ତେବେ ସେ ଯାହାହେଉ ନବୀନ ନିବାସ ଘେରାଉ ପୂର୍ବରୁ ପୁଲିସ ମୋର୍ଚ୍ଚାର କର୍ମୀଙ୍କୁ ଉଠାଇ ନେଇଛି । ବିଜେପି ଅଭିଯୋଗ କରିଛି କି’ ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି । ଆଉ ମହିଳାଙ୍କୁ ସୁରକ୍ଷା ଦେବାରେ ପୂରା ବିଫଳ ନବୀନ ସରକାର । ସେପଟେ ବିଜେପି ମହିଳା ମୋର୍ଚ୍ଚାର ଏଭଳି ରଣହୁଙ୍କାର ଦେଖି ନବୀନ ନିବାସ ସମେତ ସଚ୍ଚିବାଳୟ ଓ ପ୍ରଦୀପ ମହାରଥୀଙ୍କ ବାସଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।