ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିରୋଧୀ କଂଗ୍ରେସ ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପଛରେ ପଡିଯାଇଛି ବିଜେପି । ତେବେ ମଙ୍ଗଳବାର ସଂନ୍ଧ୍ୟା ସୁଦ୍ଧା ଲୋକସଭା ଏବଂ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି । ଦଳରେ ବହୁ ଆଶାୟୀ ପ୍ରାର୍ଥୀ ଥିବା ବେଳେ କିଏ କେଉଁଠୁ ଟିକେଟ ପାଇବ ତାଉପରେ ରହିଛି ସମସ୍ତଙ୍କ ନଜର । ରାଜ୍ୟ ବିଜେପିର କିଛି ତୁଙ୍ଗ ନେତା ଦିଲ୍ଲୀ କାର୍ଯ୍ୟାଳୟରେ ଡେରା ପକାଇଛନ୍ତି । ଏଣୁ ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଘନ ଘନ ମିଟିଙ୍ଗ ବସୁଥିବା ଶୁଣିବାକୁ ମିଳିଛି । ତେବେ କାହାକୁ ଟିକେଟ ମିଳିବ ତାହା ଏବେ ଏକପ୍ରକାର ଠିକ ହୋଇ ରହିଛି । କୌଣସି ବି ମୁହୁର୍ତ୍ତରେ ଘୋଷଣା ହୋଇପାରେ ବୋଲି ବିଶେଷ ସୂତ୍ରରୁ ଖବର ମିଳିିଛି ।
ଦିନକୁ ଦିନ ରାଜ୍ୟ ବିଜେପି ଶିବିରରେ ନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଜେଡିରୁ ଅଲୋଡା ହେଉଥିବା ନେତାଙ୍କୁ ଆଦରି ନେଉଛି ବିଜେପି । କଂଗ୍ରେସ ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ପଛକୁ ରହିଥିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡି ଏବଂ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କୁ ଦଳରେ ସାମିଲ କରି ଦଳର ଶକ୍ତି ବଢ଼ାଇବ ଦଳ । ନିକଟରେ ବିଜେଡିରୁ ତଡା ଖାଇଥିବା କେତେଜଣ ନେତା ବିଜେପିରେ ଯୋଗ ଦେଇଛନ୍ତି । ଏଣୁ ବିଜେଡିରେ ଅଲୋଡା ହୋଇଥିବା ଆଉ କିଛି ନେତା ତଡା ଖାଇଥିବା ନେତାଙ୍କ ମଧ୍ୟସ୍ଥତାରେ ଦଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ବିଜେପିର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇ ଯାଇଛି ବୋଲି ଶୁଣିବାକୁ ମିଳିଛି । ଯେକୌଣସି ମୁହୁତ୍ତରେ ଗଣମାଧ୍ୟମକୁ ଜଣାଇ ଦଳ ପ୍ରାର୍ଥୀ ଘୋଷଣା କରିପାରେ । ଅମିତ ଶାହାଙ୍କ ୧୨୦ ପ୍ଳସ ଗଣିତକୁ ସଫଳ କରିବା ପାଇଁ ଦଳ ବିରୋଧୀ କଂଗ୍ରେସ ଏବଂ ବିଜେଡି ଅପେକ୍ଷା ଭଲ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି । ଗତକାଲିଠାରୁ ନାମାଙ୍କନ ଆରମ୍ଭ ହୋଇଥିଲେ ସୁଦ୍ଧା ବିଜେପି ପ୍ରାର୍ଥୀ ଚୟନ କରିବାରେ ପଛରେ ପଡିଯାଇଛି । କିନ୍ତୁ ଏହି ପଛଘୁଞ୍ଚା ଫଳାଫଳ ବେଳେ ଦଳ ସପକ୍ଷରେ ଯିବ ବୋଲି ଆଶା ରଖିଛନ୍ତି ଦଳୀୟ କର୍ମୀ ।