ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ବିଜେପିି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା । ଯାହାକୁ ନେଇ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏହି ପ୍ରାର୍ଥୀ ତାଲିକା ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । କିନ୍ତୁ ବିଜେପି ଏହାକୁ ମିଥ୍ୟା ପ୍ରଚାର ବୋଲି ଅଭିଯୋଗ କରିଛି । ଦୁଇଦିନ ପୂର୍ବରୁ ବିଜେଡିରେ ବିଧାୟକ ଟିକେଟ ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆରେ ଅଡିଓ ରେକର୍ଡ ମଧ୍ୟ ଭାଇରାଲ ହୋଇଥିଲା । କିନ୍ତୁ ବିଜେଡି ମଧ୍ୟ ଏହାକୁ ଏକ ମିଥ୍ୟା ଗୁଜବ ବୋଲି କହିଥିଲା ।
ଭାଇରାଲ ହୋଇଥିବା ୨୧ଟି ଲୋକସଭା ଆସନ ପାଇଁ ବହୁ ତୁଙ୍ଗ ନେତାଙ୍କ ନାମ ଘୋଷଣା କରାଯାଇଥିବା ଦେଖିବାକୁ ମିଳିଛି । ଓଡିଶାରେ ବିଜେଡି ସରକାର ସକ୍ରିୟ ଥିବାରୁ ଏହାକୁ ନଜରରେ ରଖି ଲୋକସଭା ଆସନରେ ଯେଉଁ ସବୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ସମସ୍ତେ ହେବିୱେଟନେତା । ଭୁବନେଶ୍ୱର ଲୋକସଭା ଆସନ ପାଇଁ ଅପରାଜିତା ଷଢ଼ଙ୍ଗୀ ଥିବା ବେଳେ କଳାହାଣ୍ଡିରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଲଢ଼ିବେ ବୋଲି ସୂଚନା ଦିଆଯାଇଛି । ତେବେ ଏହା କେତେଦୂର ସତ ତାହା ସ୍ପଷ୍ଠ ହୋଇନଥିଲେ ସୁଦ୍ଧା ଏହି ଭାଇରାଲକୁ ନେଇ ରାଜନୈତିକ ମହଲ ସରଗରମ ହୋଇଛି ।
ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମହଲ ସେତିକି ସରଗରମ ହୋଇ ଯାଉଛି । ସବୁ ଆସନ ପାଇଁ ଦଳୀୟ ଟିକେଟ ଆଶାରେ ବହୁ ଆଶାୟୀ ପ୍ରାର୍ଥୀ । ତେବେ ଏହି ସମୟରେ ଏଭଳି ଭାଇରାଲ ତାଲିକା ପ୍ରାର୍ଥୀଙ୍କ ଛାତିରେ ଛନକା ପଶାଇଦେଉଛି । ସବୁ ଦଳରେ ମାଳ ମାଳ ଆଶାୟି ପ୍ରାର୍ଥୀ ଟିକେଟ ଆଶାରେ ଚାହିଁ ବସିଛନ୍ତି । ନିଜ ନିଜ ଅଞ୍ଚଳରେ ମଧ୍ୟ ଲୋକ ସମ୍ପର୍କ ବଞ୍ଚାଇବା ମଧ୍ୟ ଜୋରଦାର ପ୍ରୟାସ ଆରମ୍ଭ କରି ଦେଇଛି । ଓଡିଶାରେ ଅମିତ ଶାହା ବିଜେପିକୁ ୧୨୦+ ଟାକ୍ସ ଦେଇଥିଲେ ।