ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଫୋକସରେ ରହିଛି ଓଡିଶା । ନିୟମିତ ଭାବରେ ଓଡିଶା ଗସ୍ତରେ ଆସି ଦଳର ସ୍ଥିତି ସୁଧାରିବା ସହିତ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ଶାହା । ଆସନ୍ତା କାଲି ଦିନିକିଆ ଗସ୍ତରେ ପୁଣିଥରେ ଆସି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦୋବ ସହିତ କର୍ମୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦୁଝର ମେଡିକାଲ ପଡିଆରେ ଆୟୋଜିତ ହେବ ସଭା । ହେବିୱେଟଙ୍କ ଗସ୍ତ କେନ୍ଦୁଝର ରାଜନୀତି ଉପରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଅପରପକ୍ଷରେ କେନ୍ଦୁଝର ବିଜେଡି ସାଂସଦ ପ୍ରାର୍ଥିନୀଙ୍କ ଭିଡିଓ ଭାଇରାଲ ହୋଇଥିବା ବେଳେ ଶାହାଙ୍କ ଦଳୀୟ ପ୍ରଚାର ବେଶ ସରଗରମ ହେବ ବୋଲି ଚର୍ଚ୍ଚା ହେଉଛି ।
ଓଡିଶାରେ ୧୨୦ ପ୍ଳସର ଟାକ୍ସ ଦେଇଛନ୍ତି ଶାହା । ଯାହାକୁ ସଫଳ କରିବା ପାଇଁ ନିୟମିତ ଓଡିଶା ଗସ୍ତରେ ଆସୁଛନ୍ତି ବୋଲି ଶୁଣିବାକୁ ମିଳିଛି । କେନ୍ଦୁଝର ପରେ ଶାହା ପୁଣି ଆସନ୍ତା ୧୭ ତାରିଖରେ ଓଡିଶା ଗସ୍ତରେ ଆସିବେ । ବଡମ୍ବା ଏବଂ ଢ଼େଙ୍କାନାଳରେ ଆୟୋଜିତ ହୋଇଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ବିଜେପି ସୂଚନା ଦେଇଛି । ତେବେ ଏହି ଦୁଇଟି ଗସ୍ତ ପୂର୍ବରୁ ନିକଟରେ ପୁରୀରେ ବିଶାଳ ରୋଡ ସୋ କରି ପତିଆରା ଦେଖାଇଥିଲେ ଶାହା । ଶାହାଙ୍କ ଗଣିତ ମଧ୍ୟ ବହୁବାର ବାଜି ଯାଇଥାଏ । ଏଣୁ ଓଡିଶାରେ ଦେଇଥିବା ଟାକ୍ସ ମଧ୍ୟ ସଫଳ ହୋଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିଜେଡି ଏବଂ କଂଗ୍ରେସ ଏହାକୁ ହସରେ ଉଡାଇ ଦେଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ବହୁ ତୁଙ୍ଗ ନେତା ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି କି ଅମିତ ଶାହାଙ୍କ ଗଣିତର ଆଗରୁ କିମ୍ବା ପଛରୁ ଗୋଟିଏ ଅଙ୍କ କଟିପାରେ ।