ପାରଳାଖେମୁଣ୍ଡି (ଏଟିଆର ବ୍ୟୁରୋ); ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି କାଶୀନଗର ବ୍ଲକର ସିଦ୍ଧାବଡ଼ଙ୍ଗା ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କହିଛନ୍ତି ଯେ ଉତ୍କଳ ଦିବସରେ ସେ ଏଠାକୁ ଆସିଥିବାରୁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି।‘ଆପଣମାନେ କଂଗ୍ରେସକୁ ଶାସନ କରିବାର ସୁଯୋଗ ଦେଇଛନ୍ତି। ବିଜେଡିକୁ ୧୯ ବର୍ଷ ହେଲାଣି ଶାସନ କରିବାର ସୁଯୋଗ ଦେଇଛନ୍ତି। ଥରେ ବିଜେପିକୁ ସୁଯୋଗ ଦେଇ ଦେଖନ୍ତୁ। ୫ ବର୍ଷରେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିଦେବୁ। ତେଣୁ ଆଜି ହିଁ ନବୀନ ସରକାରକୁ ଉପାଡ଼ି ଫୋପାଡ଼ି ଦେବାର ସଂକଳ୍ପ ନିଅନ୍ତୁ।”ଏଭଳି କଡା ଭାଷାରେ ଟାର୍ଗେଟ କରିଛନ୍ତି ଶାହା ।
ଖାଲି ଏତିକି ନୁହେଁ ଓଡିଶାରେ ରୋଜଗାର ନପାଇ ଯୁବକମାନେ ବାହାରକୁ ଯାଉଛନ୍ତି । ବିଜେପି ସରକାର ଆସିଲେ ଓଡିଆ ଯୁବକ ବାହାରକୁ ଯିବେ ନାହିଁ । ରାଜ୍ୟରେ ମୋଦୀଙ୍କ ପ୍ରଧାନମନ୍ତ୍ରୀ ହେବା ପରେ ବହୁ ବିକାଶ ମୂଳକ ଯୋଜନା ଆରମ୍ଭ ହୋଇଛି । କିନ୍ତୁ ଓଡିଶା ସରକାର ତାକୁ ଗ୍ରହଣ କରୁନାହାଁନ୍ତି । ବିଜେଡି ଏଠାରେ ଶାସନ କରୁଛି । ଆଦିବାସୀ ଲୋକଙ୍କ ପଟ୍ଟା ଦେଇପାରୁ ନାହିଁ, ମହେନ୍ଦ୍ରତନୟା ଏବଂ ବଂଶଧରା ଯୋଜନା ଫେଲ ମାରିଛି, ରାୟଗଡାରୁ ପାରଳାଖେମୁଣ୍ଡି ଯାଏଁ ଜଳସେଚନ ଫେଲ ହୋଇଛି । ଗଜପତିରେ ଜନଜାତିଙ୍କୁ ମଧ୍ୟ ଉପେକ୍ଷା କରିଛି । ଶୁଦ୍ଧ ପାଣି ଯୋଗାଇବାରେ ମଧ୍ୟ ନବୀନ ସରକାର ବିଫଳ ବୋଲି ବର୍ଷିଛନ୍ତି ଅମିତ ଶାହା ।