ଜୟପୁର (ଏଟିଆର ବ୍ୟୁରୋ): ପ୍ରଥମପର୍ଯ୍ୟାୟ ମତଦାନ ବେଳେ ବିଜେଡି ପକ୍ଷରୁ କରାଯାଇଥିବା ବୁଥ ରିଗିଂ ଭିଡିଓ ଗଣମାଧ୍ୟମକୁ ଦେଇଛି ବିଜେପି । ପୂର୍ବରୁ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ଜୟପୁରର ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ ଏକ ଭିଡିଓ ଜାରି କରି ରିଗିଂ ପଛରେ ବିଜେଡିର ହାତ ରହିଛି ବୋଲି ଦାବି କରଛନ୍ତି । ଗୌତମ ସିଧାସଳଖ ଦାୟୀ କରିଛନ୍ତି ବିଜେଡି ପ୍ରାର୍ଥୀ ରବିନାରାୟଣ ନନ୍ଦଙ୍କୁ । ବୁଥ ରିଗିଂ କରି ବିଜେଡି ଓ କଂଗ୍ରେସ ନିର୍ବାଚନ ଜିତିବାକୁ ଚେଷ୍ଟା କରିଛନ୍ତି । ସେ ରବିନାରାୟଣ ନନ୍ଦଙ୍କୁ ଗିରଫ କରିବା ସହିତ ପୁଣି ସାନି ନିର୍ବାଚନ କରିବାକୁ ସେ ଦାବି କରିଛନ୍ତି ।
ଗତ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ଜୟପୁର ମୁଖି ଖୁଡ୍ପି ବୁଥ୍ରେ ୮ ରୁ ୧୦ ଜଣ ଯୁବକ ଜବରଦସ୍ତି ବିଜେଡିକୁ ଭୋଟ ଦେବାକୁ କହୁଥିବା ଗାଁର କିଛି ଲୋକ ଅଭିଯୋଗ କରିବା ସହ କିଛି ଯୁବକଙ୍କୁ ଧରି ପୋଲିସ୍ର ଜିମା ଦେଇଥିଲେ । ଯାହା ମଧ୍ୟରୁ ୬ ଜଣଙ୍କୁ ଅଟକ ରଖିଥିବା ବେଳେ ୨ ଜଣଙ୍କୁ କାବୁ କରି ପାରିନାହିଁ ପୋଲିସ । ଅପରପକ୍ଷେ ଏସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦ । ଶ୍ରୀ ନନ୍ଦ କହିଛନ୍ତି ଯେ ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ଅପିଲ କରିବାର ଅଧିକାର ଅଛି । ଯେଉଁମାନେ ରିଗିଂ କରିଛନ୍ତି ସେମାନଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେବେ । ଗୌତମ ତାଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣୁଥିବାରୁ ସେ ଆଇନର ସହାୟତା ନେବେ ବୋଲି କହିଛନ୍ତି ।