ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏଠାରେ ଲଗାତାର ଦୁଇଟି ନିର୍ବାଚନରେ ବିଜେଡି ବାଜିମାତ କରି ଆସୁଥିଲା । ବିଜେଡି ପାୱାର କରିଡର ନେତା ସଂଜୟ ଦାଶବର୍ମା ଏଠାରେ ଦୁଇଥର ବିଜୟ ହୋଇଛନ୍ତି । ଚଳିତଥର ବିଜୟ ହୋଇ ହ୍ୟାଟ୍ରିକ ଲକ୍ଷ୍ୟରେ ଥିଲେ କିନ୍ତୁ ତାଙ୍କ ବିଜୟରେ ରୋକ ଲଗାଇଛନ୍ତି ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।
ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚିତ କଂଗ୍ରେସ ନେତାଙ୍କ ଲୁଲୁ ମହାପାତ୍ରଙ୍କ ସାନ ଭାଇ ହେଉଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ୨୦୦୯ ଏବଂ ୨୦୧୪ରେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କୁ ହରାଇଥିଲେ ସଂଜୟ ଦାଶବର୍ମା । କିନ୍ତୁ ୨୦୧୯ର ଜନମତ ତାଙ୍କ ସପକ୍ଷରେ ଯାଇନଥିଲା । ଲୁଲୁଙ୍କ ସାନ ଭାଇ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ । ଲୋକ ତାଙ୍କୁ ଜିତାଇଛନ୍ତି । ସୂଚନାଯୋଗ୍ୟ,ଲୁଲୁ ମହାପାତ୍ରଙ୍କ ମୃତ୍ୟୁ ପରେ କଂଗ୍ରେସ କର୍ମୀ ଅଣଦେଖା କରିଥିଲେ । ଏହାପରେ ତାଙ୍କ ଭାଇ ଲଳିତେନ୍ଦୁ ବିଜେପିରେ ଯୋଗ ଦେଇଥିଲେ ।
ଲୁଲୁ ମହାପାତ୍ର ୧୯୯୫,୨୦୦୦ ଏବଂ ୨୦୦୪ରେ ବ୍ରହ୍ମଗିରି ଆସନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇ ବିଜୟ ହୋଇଥିଲେ । ସଂଜୟ ଦାଶବର୍ମା ତାଙ୍କଠାରୁ ଏହି ଆସନ ୨୦୦୯ରେ ଛଡାଇ ନେଇଥିଲେ । ଏବେ ୨୦୧୯ରେ ତାଙ୍କ ଭାଇ ବିଜୟ ହୋଇ ପୁଣିଥରେ ଭାଇଙ୍କ ଆସନ ଫେରାଇ ଆଣିଛନ୍ତି । ତେବେ ଲଳିତେନ୍ଦୁ ପ୍ରଥମଥର ଲାଗି ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟ ହେଲେ । ଲଳିତେନ୍ଦୁଙ୍କ ବିଜୟ ବ୍ରହ୍ମଗିରିରେ ବିଜେପିର ପ୍ରଥମ ବିଜୟ । ଏହି ଆସନ ଅଧିକାଂଶଥର କଂଗ୍ରେସ ଦଖଲରେ ରହିଥିଲା । ବିଜେଡି ୨ଥର ଏବଂ ଜନତା ଦଳ ଥରେ ଅକ୍ତିଆର କରିଛି ।
ଲୁଲୁ ମହାପାତ୍ରଙ୍କ ସିମ୍ପାଥୀ ଭୋଟ ଏବଂ ବିଜେପିର ଦଳୀୟ ଭୋଟ ହାତେଇବା ପାଇଁ ଗେମପ୍ଳାନ କରିଥିଲା ଦଳ । ଅପରପକ୍ଷରେ ସଂଜୟଙ୍କ ହ୍ୟାଟ୍ରିକ ବିଜୟରେ ରୋକ ଲଗାଇବା ପାଇଁ ଚେଷ୍ଠା କରିଥିଲା ବିଜେପି । ଏଣୁ ଦଳ ଲୁଲୁଙ୍କ ସାନ ଭାଇଙ୍କୁ ସିପାହୀ କରି ମଇଦାନକୁ ଓହ୍ଲାଇଥିଲା । ଏବଂ ଶେଷରେ ଦଳର ବ୍ରହ୍ମାସ୍ତ୍ର କାମ କରିଥିଲା ।