ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଉତ୍କଳ ଭାରତ ଦଳର ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ଘଟଣାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ଏନେଇ ଆଜି ବିଜେପିର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି । ରାୟଗଡାର କାଶୀପୁରରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ କରିଥିବା ଦୁଇଜଣ ଯୁବକ ବିଜୁ ଯୁବ ବାହିନୀର ସଦସ୍ୟ ବୋଲି ସେ କହିଛନ୍ତି । ସୁକାନ୍ତ ନାୟକ ଓ କୃଷ୍ଣ ନାୟକ ନାମକ ଦୁଇଜଣ ବ୍ୟକ୍ତି ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ କରିଥିଲେ ।
ତେବେ ରାତିଅଧିଆ ତରତର ହୋଇ ସେମାନଙ୍କର ନାମ ବିଜୁ ଯୁବ ବାହିନୀରୁ କଟାଯାଇଥିବା ଭୃଗୁ କହିଛନ୍ତି । ସେମାନଙ୍କ ମଧ୍ୟରୁ କୃଷ୍ଣ ଙ୍କୁ ପୋଲିସ ଛାଡିଦେଇଥିବା ବେଳେ ସେ କାଶୀପୁର ଅଞ୍ଚଳର ଜଣେ ବରିଷ୍ଠ ବିଜେଡି ନେତାଙ୍କ ଡ୍ରାଇଭର ଥିବା ଭୃଗୁ କହିଛନ୍ତି । ଖାଲି ସେତିକି ନୁହେଁ ଖାରବେଳ ସ୍ୱାଇଁଙ୍କ ଆକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଭୃଗୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସକ ଦଳର ସଭାପତି ହୋଇଥିବା ବେଳେ ଖାରବେଳ ସ୍ୱାଇଁ ମଧ୍ୟ ଗୋଡିଏ ରାଜନୈତିକ ଦଳର ସଭାପତି । ତେବେ ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣକୁ ନିନ୍ଦା କରି ମୁଖ୍ୟମନ୍ତ୍ରୀ ପଦେ କହିନଥିବାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର । ତେବେ ସରକାରକାରଙ୍କ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକୁ ଭୃଗୁ ହାସ୍ୟାସ୍ପଦ ବୋଲି କହିଛନ୍ତି । ସେପଟେ ଆକ୍ରମଣ କରି ପୋଲିସ ଦ୍ୱାରା ଗିରଫ ହୋଇଥିବା ସୁକାନ୍ତଙ୍କୁ କାଶୀପୁର ଥାନାରେ ପଚରାଉଚରା କରାଯାଉଛି । ତାଙ୍କ ବିରୋଧରେ ଆଇନ ଅନୁଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାୟଗଡା ଏସପି କହିଛନ୍ତି । ତେବେ ଖାରବେଳ ଙ୍କ ଉପରେ ବାରମ୍ବାର ଆକ୍ରମଣ କରାଯିବାକୁ ନେଇ ମଧ୍ୟ ତଦନ୍ତ କରାଯାଇପାରେ ବୋଲି ଜଣାପଡିଛି ।