ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡିଶା । ନିର୍ବାଚନ ବିଗୁଲ ବାଜିବା ଦିନଠାରୁ ମାଳ ମାଳ କେନ୍ଦ୍ରୀୟ ନେତାମାନେ ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି । କଂଗ୍ରେସ ଏବଂ ବିଜେପିର ନେତାମାନେ ନିୟମିତ ଭାବରେ ଓଡିଶା ଗସ୍ତରେ ଆସୁଛନ୍ତି । ତେବେ ଏଥିରୁ ବାଦ ପଡିନାହାଁନ୍ତି ମାୟାବତୀ । ଆଜି ଓଡ଼ିଶା ଆସୁଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ଭୁବନେଶ୍ବରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବେ ମାୟାବତୀ । ବିଜେପି ଓ କଂଗ୍ରେସକୁ ଛାଡ଼ି ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ ଯେମିତି କେନ୍ଦ୍ରରେ ସରକାର ଗଢ଼ିବାରେ ମୁଖ୍ୟ ଭୂମିକା ତୁଲାଇବେ, ସେନେଇ ପ୍ରୟାସ କରୁଛନ୍ତି ମାୟାବତୀ । ତେଣୁ ଆଜିର ସଭାରେ ମାୟାବତୀଙ୍କ ବିଜେଡି ସୁପ୍ରିମୋଙ୍କ ପ୍ରତି କେମିତି ମନୋଭାବ ରହିବ ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।
ସେହିପରି ଆଜିର ସଭାରେ ମାୟାବତୀ ଆଗାମୀ ସାଧାରଣ ନିର୍ବାଚନ ପାଇଁ କିଛି ବିଏସପି ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି କିଛି ଦିନ ତଳେ କଂଗ୍ରେସ ଛାଡ଼ି ହାତୀ ପିଠିରେ ବସିଥିବା କୃଷ୍ଣ ଶଗରିଆ ଭୁବନେଶ୍ବର ଲୋକସଭା ଆସନରୁ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ମଧ୍ୟ ଆଜି ଘୋଷଣା ହୋଇପାରେ ।ମାୟାବତୀଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା କରାଯାଇଛି । ତେବେ ଦଳର ସୁପ୍ରିମୋ ଆସୁଥିବାରୁ ଓଡିଶା କର୍ମୀମାନେ ବେଶ ଖୁସି ଅଛନ୍ତି । ନିର୍ବାଚନ ପୂର୍ବରୁ ଗୁରୁମନ୍ତ୍ର ପାଇବାରେ ଏହା ଶେଷ ସମୟ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।