ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଷୋଡଶ ବିଧାନସଭାର ବଜେଟ ଅଧିବେଶନ ଆଜିଠୁ ବସିବ । ନୂଆ ସରକାରରେ ଏହା ପ୍ରଥମ ଅଧିବେଶନ । ବିରୋଧୀ ଦଳ ପରିବର୍ତ୍ତନ ହୋଇଛି । ଏଣୁ ଏହି ଅଧିବେଶନ ଉପରେ ମସ୍ତଙ୍କ ନଜର । ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା କାର୍ଯ୍ୟ ଆରମ୍ଭ ହେବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୨ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁନ୍ ୨୮ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ।
୨୬ ତାରିଖରେ ଉପବାଚସ୍ପତି ନିର୍ବାଚନ ନେଇ ଘୋଷଣା ହେବ ଓ ୨୭ ତାରିଖରେ ନିର୍ବାଚନ ହେବ। ଶାସକ ବିଜେଡି ପକ୍ଷରୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଉପବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ତେଣୁ ଶ୍ରୀ ସିଂହ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି।କାରଣ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଦୁଇ ବିରୋଧୀ ଦଳ ମିଶିଲେ ମଧ୍ୟ କୌଣସି ଫଳ ମିଳିବ ନାହିଁ ।
ସୂଚନାଯୋଗ୍ୟ,ଆଜି ବିଧାନସଭା ବସିବା ପୂର୍ବରୁ ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ଭାବେ ଲଗାତର ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ଗୃହକୁ ପ୍ରବେଶ କରିବେ। ତାଙ୍କର ପୂର୍ବ ଚାରି ପାଳିରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା। କିନ୍ତୁ ଏଥର ପ୍ରଥମ ଥର ପାଇଁ ବିଜେପି ମୁଖ୍ୟ ବିରୋଧୀ ଦଳ ଆସନରେ ବସିବ। ତେଣୁ ଶାସକ ଦଳ ବିରୋଧରେ ବିଜେପି କିପରି ରଣନୀତି ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିବ। ସେହିପରି କଂଗ୍ରେସ ତୃତୀୟ ସ୍ଥାନକୁ ଆସିଥିଲେ ବି ଦଳରେ ଅଭିଜ୍ଞ ବିଧାୟକଙ୍କ ସଂଖ୍ୟା କମ୍ ନାହିଁ। ତେଣୁ ବିରୋଧୀ ଦଳ ଭାବେ କଂଗ୍ରେସର ଭୂମିକା ବି ପ୍ରଭାବୀ ରହିବ ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି।