ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସରିବ ପ୍ରଚାର । ଆଉ ଶୁଭିବନି ନେତାଙ୍କ ପାଇଁ ଜିନ୍ଦାବାଦ । ଏଥର ଆଉ ଘର ଆଗରେ ନିଜର ପ୍ରିୟ ନେତାଙ୍କୁ ଦେଖିବାକୁ ପାଇବେନି ଜନତା । ରାଜ୍ୟରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି । ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏଣୁ ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରିବା ପାଇଁ ଯାଉଛି । ସଂନ୍ଧ୍ୟା ୬ଟା ପରେ ବନ୍ଦ ହେବ ପ୍ରଚାର । ଏଣୁ ସବୁ ଦଳର ହେବିୱେଟ ନେତାମାନେ ଦଳୀୟ କର୍ମୀଙ୍କୁ ଭୋଟ ଦେବା ପାଇଁ ଆଜି ଶେଷଥର ଲାଗି ପ୍ରଚାର କରିବେ ।
ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ପାଇଁ ମତଦାନ ହେବାକୁ ଯାଉଛି । ତେବେ ସବୁ ଦଳ ପାଇଁ ଆଜି ଶେଷ ପ୍ରଚାର । ଏଣୁ ଆଜି ଖରାତରାକୁ ଖାତିର ନକରି ହେବିୱେଟ ବାହାରି ପଡିଲେଣି ପ୍ରଚାର ଅଭିଯାନରେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ତିନୋଟି ସ୍ଥାନରେ ରୋଡ ସୋ କରି ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିବେ । ପ୍ରଥମେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ତିନିମୁହାଣରେ ରୋଡ ସୋ କରିବେ ଏହାପରେ ଆଳିରେ ମାରଥର ପ୍ରଚାର କରିବେ । ଅପରାହ୍ନରେ ଟାଙ୍ଗୀରେ ମଧ୍ୟ ପ୍ରଚାର କରିବେ ନବୀନ ।
ଶେଷ ଦିନ ପ୍ରଚାରରେ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ସାମିଲ କରିଛି । ଅମିତ ଶାହା ଆଜି ପ୍ରଥମେ ମୟୁରଭଞ୍ଜ ଜିଲ୍ଲା ମୋରାଡା ନିର୍ବାଚନ ମଣ୍ଡଳୀରେ ବିଜୟ ସଂକଳ୍ପ ଅଭିଯାନରେ ସାମିଲ ହେବେ । ଏବଂ ଏହାପରେ ଯାଜପୁର ସୁକିନ୍ଦାରେ ମଧ୍ୟ ପ୍ରଚାର କରିବେ । ଦୁଇ ବିରୋଧୀଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ ମଧ୍ୟ ନିଜର ପ୍ରଚାରକୁ ଜୋରଦାର କରୁଛି । ତେବେ ଜନତା କାହା ଷ୍ଟାର ପ୍ରଚାରଙ୍କୁ ଦେଖି ଭୋଟ ଦେଉଛନ୍ତି କି ନେତାଙ୍କ ଉପରେ ଭରଷା କରି ଭୋଟ ଦେଉଛନ୍ତି ଆସନ୍ତା ମେ’୨୩ରେ ଜଣାପଡିବ ।