ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗତକାଲିଠାରୁ ସୋସିଆଲ ମିଡିଆରେ ଘୁରି ବୁଲୁଛି କଂଗ୍ରେସର ପ୍ରାର୍ଥୀ ତାଲିକା । ୧୪୭ ବିଧାନ ସଭା ପ୍ରାର୍ଥୀ ଏବଂ ୨୧ ଲୋକସଭା ପ୍ରାର୍ଥୀଙ୍କୁ ନେଇ ଏକ ତାଲିକା ପ୍ରସ୍ତୁତ ହୋଇ ଭାଇରାଲ ହେଉଛି । ତେବେ ଏହା ଏକ ମିଥ୍ୟା ପ୍ରଚାର ବୋଲି ସାମ୍ବାଦିକ ସମିଳନୀ କରି ସୂଚନା ଦେଇଛନ୍ତି କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଭଳି ମିଛରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି କିଛି ଲୋକ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି । ଯାହା କି ଆଶାୟୀ ପ୍ରାର୍ଥୀଙ୍କ ଛାତିରେ ଛନକା ପଶାଇ ଦେଉଛି ବୋଲି ସତ୍ୟ ପ୍ରକାଶ କରିଛନ୍ତି ।
ଗତକାଲି ସଂନ୍ଧ୍ୟାରେ ପ୍ରଦେଶ କଂଗ୍ରେସ ପକ୍ଷରୁ ନିର୍ବାଚନୀ ବୈଠକ ବସିଥିଲା । ଏଥିରେ ୨୧ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଏବଂ ୧୪୭ ବିଧାୟକଙ୍କ ନାମ ପ୍ରସ୍ତୁତ କରାଯାଇଥିଲା । ପିଇସି ଏହି ତାଲିକାକୁ ସାମ୍ଭବ୍ୟ ପ୍ରାର୍ଥୀ ତାଲିକାକୁ ସିଇସିକୁ ପଠାଇ ଦେଇଛି । କିନ୍ତୁ ସିଇସି ନିକଟକୁ ପଠାଇଥିବା ସାମ୍ଭବ୍ୟ ପ୍ରାର୍ଥୀ ତାଲିକାକୁ କେହି ଲିକ କରି ସୋସିଆଲ ମିଡିୃାରେ ଭାଇରାଲ କରୁଛି ବୋଲି ଗତକାଲିଠାରୁ ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ନେଇ ଚିନ୍ତାରେ ରହିଥିଲା କଂଗ୍ରେସ । କିନ୍ତୁ ପ୍ରକୃତ ତାଲିକା ଏବଂ ଭାଇରାଲ ହୋଇଥିବା ତାଲିକା ମଧ୍ୟରେ କୌଣସି ତାଳମେଳ ଖାଉନାହିଁ । ଏଣୁ ଏହା ଏକ ମିଥ୍ୟା ଗୁଜବ ବୋଲି କହିଛନ୍ତି ସତ୍ୟ ।
ପୂର୍ବରୁ ମଧ୍ୟ ବିଜେପି ଏବଂ ବିଜେଡି ପକ୍ଷରୁ କିଏ କେଉଁଠି ଟିକେଟ ପାଇବ ତାହା ସୋସିଆଲ ମିଡିଆରେ ପ୍ରଚାର ହୋଇଥିଲା । କିନ୍ତୁ ଏହା ଗୁଜବ ବୋଲି ପରେ ଜଣା ପଡିଥିଲା । ବିଜେଡିର ବିଧାୟକ ତାଲିକା ଅଡିଓ ଟେପ ଘୁରି ବୁଲୁଥିବା ବେଳେ ବିଜେପିର ଲୋକସଭା ପ୍ରାର୍ଥୀଙ୍କ ତାଲିକା ପ୍ରଚାର ହୋଇଥିଲା । ତେବେ କଂଗ୍ରେସ ଅନ୍ୟ ଦଳଙ୍କଠାରୁ ପ୍ରଥମେ ପ୍ରାର୍ଥୀ ଘୋଷଣା କରିବ ବୋଲି ପୂର୍ବରୁ ପ୍ରକାଶ କରିଛି । ଏଣୁ କଂଗ୍ରେସ ତାଲିକା ଭାଇରାଲ ହେବା ପରେ ବହୁ ନେତାଙ୍କ ଛାତିରେ ଛକନା ପଶିଯାଇଥିଲା ।