ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ସୁଦ୍ଧା ବ୍ରହ୍ମପୁର ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କୁ ଟିକେଟ ଦେଇନି ଦଳ । ଦୀର୍ଘ ୧୦ ବର୍ଷ ବିଜେଡି ପାଇଁ କାମ କରିଥିଲେ ସୁଦ୍ଧା ଶେଷରେ ଫିକା ପଡିଛନ୍ତି ଅଭିନେତାରୁ ରାଜନେତା ହୋଇଥିବା ମୁନ୍ନାଭାଇ । ତେବେ ଟିକେଟ ନମିଳିବା ପରେ ତାଙ୍କର ରାଜନୈତିକ ଭବିଷ୍ୟତ କଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ରବିବାର ସେ ସୂଚନା ଦେଇଥିଲେ କି ଟିକେଟ ନମିଳିଲେ ମଧ୍ୟ ସେ ଅନ୍ୟ କୌଣସି ଦଳରେ ଯୋଗ ଦେବେ ନାହିଁ । ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେବେ ତାକୁ ସୁଚାରୁ ରୂପେ ତୁଲାଇବେ ବୋଲି କହିଥିଲେ । କିନ୍ତୁ ରାଜନୀତିରେ ଘଡିକେ ଘୋଡା ଛୁଟୁଥିବାରୁ ସେ ମଧ୍ୟ ଦଳ ବଦଳ କରି ରାଜନୈତିକ ଭବିଷ୍ୟତ ଗଢ଼ିବା ଲକ୍ଷ୍ୟରେ ବାହାରି ପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଗତ ଦୁଇଟି ନିର୍ବାଚନରେ କଂଗ୍ରେସର ହେବିୱେଟ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ଅମାନତ ହରାଇଥିଲେ ସିଦ୍ଧାନ୍ତ । ପୂର୍ବରୁ ସଂସଦୀୟ କ୍ଷେତ୍ରରେ ଭଲ ଲୋକପ୍ରିୟତା ଥିଲେ ସୁଦ୍ଧା ଚନ୍ଦ୍ରଶେଖରଙ୍କୁ ହରାଇ ନୂଆ ରେକର୍ଡ କରିଥିଲେ ସିଦ୍ଧାନ୍ତ । କିନ୍ତୁ ନିକଟରେ କଂଗ୍ରେସକୁ ବାଏ ବାଏ କହି ବିଜେଡି ଯୋଗ ଦେଇଥିଲେ ଚନ୍ଦ୍ର ଶେଖର । ଏହା ପରଠାରୁ ସିଦ୍ଧାନ୍ତଙ୍କ ଟିକେଟ କଟିବା ନେଇ ଆରମ୍ଭ ହୋଇଥିଲା କଳ୍ପନା । ଯାହାକି ଆଜି ସତରେ ପରିଣତ ହୋଇଛି ।
ରବିବାର ସଂନ୍ଧ୍ୟାରେ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟିବା ପରେ ମଧ୍ୟ ମୁନ୍ନାଭାଇଙ୍କ ଟିକେଟ କଟିଥିବାରୁ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ କିଛି ସର୍ତ୍ତ ରଖିବା ପରେ ସିଦ୍ଧାନ୍ତଙ୍କ ଟିକେଟ କଟିଥିବ ବୋଲି ଶୁଣିବାକୁ ମିଳୁଛି । ଅଚ୍ୟୁନ୍ତ ସାମନ୍ତ କନ୍ଧମାଳ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ପରେ ସିଦ୍ଧାନ୍ତ ରାଜ୍ୟସଭା ପାଇଁ ମନୋନିତ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏଭଳି କିଛି ଡିଲ କରିବା ପରେ ଚନ୍ଦ୍ରଶେଖରଙ୍କୁ ଟିକେଟ ଦିଆଯାଇଛି ।