ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଫେବୃଆରୀ ୧ ତାରିଖରେ ଦିନିକିଆ ସମ୍ବଲପୁର ଗସ୍ତରେ ଯିବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁରରେ ଯୁବ ବିକାଶ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଶୁଭ ଉଦଘାଟନ କରିବେ ନବୀନ । ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଆୟୋଜିତ ହେବ ବିଜୁ ଯୁବ ବାହିନୀର ଯୁବ ସମାବେଶ । ଏହାକୁ ରିଜିଓନାଲ୍ ୟୁଥ୍ କନକ୍ଳେଭନାମ ଦିଆଯିବା ସହ, ୬ଟି ଜିଲ୍ଲାର ପ୍ରାୟ ୩ହଜାରରୁ ଅଧିକ ଯୁବକ ଯୁବତୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମହାନଦୀ ଉପରେ ନିର୍ମିତ ଦ୍ବିତୀୟ ପୋଲର ଉଦ୍ଘାଟନ କରିବା ସହ, ହୀରାକୁଦରେ ନିର୍ମିତ ରୋପ-ୱେର ମଧ୍ୟ ଉଦଘାଟନ କରିବେ।
ମୋଟ ୨୫ ଶହ ୫୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା ସହ ୬ ଶହ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବେ । ତେବେ ଏହି ସବୁ ପ୍ରକଳ୍ପ ମଧ୍ୟରେ ଜିଲ୍ଲାର ସମ୍ବଲପୁର,ରେଙ୍ଗାଲି ଏବଂ ରେଢ଼ାଖୋଲ ୩ଟି ନିର୍ବାଚନ ମଣ୍ଡଳି ରହିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବେଶ ଖୁସି ଅଛନ୍ତି ଦଳୀୟ କର୍ମୀ ଏବଂ ନେତା । କାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଦଳର ସୁପ୍ରିମୋଙ୍କ ଉପସ୍ଥିତି ଦଳ ପାଇଁ ବହୁତ ଲାଭ ଦାୟକ ହେବ ବୋଲି ଚର୍ଚ୍ଚା ହେଉଛି । ସେପଟେ କିଛି ଦିନ ହେବ ସମ୍ବଲପୁରେ ବିଜେଡି ଦଳୀୟ କନ୍ଦଳ ବଢ଼ିବାରେ ଲାଗିଛି । ଦଳ ୩ଟି ଭାଗରେ ବିଭକ୍ତ ହୋଇ ଯାଇଛି । ଏଣୁ ମୁଖ୍ୟମନ୍ତ୍ରୀ ଗସ୍ତରେ ଯିବା ପରେ ଏହାର ସମାଧାନ ହେବ ବୋଲି ଆଶା କରାଯାଇଛି ।
ସେପଟେ ସମ୍ବଲପୁରରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ୫ ମାସ ହେବ ଓକିଲମାନେ କାର୍ଯ୍ୟ ବନ୍ଦ ରଖିଛନ୍ତି । କାରଣ ଓକିଲମାନେ ପ୍ରତିବାଦ କରିବେ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ପ୍ରଶାସନ ଏବଂ ପୋଲିସ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଏଣୁ ବ୍ୟାପକ ପୋଲିସ ବ୍ୟବସ୍ଥ୍ା କରାଯାଇଥିବା ସୂଚନା ମିଳିଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବାକି ସମସ୍ତ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡାଗସ୍ତ ସମୟରେ କଂଗ୍ରେସ ନେତା ନବ ଦାସଙ୍କୁ ନିଜ ଦଳରେ ସାମିଲ୍ କରି, ବିଜେଡି ପଶ୍ଚିମଓଡିଶାରେ ପୁଣି ନିଜ ଦବ୍ଦବା ଜାହିର କରିଥିବା ବେଳେ, ଏବେ ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ଉପରେ ରହିବା ସ୍ବାଭାବିକ ।
ସେପଟେ ନବୀନଙ୍କ ସମ୍ବଲପୁର ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି । ନିର୍ବାଚନ ପାଖେଇ ଆସୁଥିବାରୁ ଖାଲି ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦଘାଟନ କରିବା ପାଇଁ ସରକାରଙ୍କର ମନେ ପଡିଗଲା । ଏଭଳି ଆକ୍ଷେପ କରିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେପି । ଆଗରୁ କୋଉଠି ଶୋଇଥିଲେ ମୁଖ୍ୟମନ୍ତ୍ରୀ । ଏବେ କଣ ନିଦ ଭାଙ୍ଗିଲା । ଆଉ ମନେ ପଡିଗଲା ସମ୍ବଲପୁର କଥା । ଯଦି ମୁଖ୍ୟମନ୍ତ୍ରୀ ଏତେ ପାରିବା ପଣିଆ ଦେଖଉଛନ୍ତି ତେବେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରି ଦେଖାନ୍ତୁ । ଏଭଳି ପ୍ରଶ୍ନବାଣ କରିଛନ୍ତି ବିରୋଧୀ ।