ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ତେବେ ପ୍ରାୟ ଜାଗାରେ ଗୋଷ୍ଠୀକନ୍ଦଳ ଦେଖିବାକୁ ମିଳୁଛି । କେଉଁଠି ବିଜେପି-ବିଜେଡି କର୍ମୀ ମଧ୍ୟରେ ଧସ୍ତାଧସ୍ତି ହେଲେଣି ତ ଆଉ କେଉଁଠି କଂଗ୍ରେସ-ବିଜେଡି । ଏଭଳି ଭାବରେ ସବୁ ନିର୍ବାଚନ ମଣ୍ଡଳୀରେ ଘଟୁଥିବାର ଚିତ୍ର ନଜରକୁ ଆସୁଛି । ବିଶେଷ କରି କେନ୍ଦ୍ରାପଡା ଲୋକସଭା ଆସନରୁ ଅଧିକ ହିଂସା ଆସୁଥିବା ଦେଖିବାକୁ ମିଳୁଛି । ଏଠାରେ ଲାଗିଛି ସମ୍ମାନର ବାଜି । ତେବେ ଆଜି ସକାଳୁ ସଂସଦୀୟ କ୍ଷେତ୍ରର ବିଭିନ୍ନ ବୁଥରେ ହାତାହାତି ହୋଇଥିବା ଶୁଣିବାକୁ ମିଳିଛି । କେନ୍ଦ୍ରାପଡାକୁ ଛାଡି ବାକି କେଉଁ ସ୍ଥାନରେ ମଧ୍ୟ ହୋଇଛି ଗଣ୍ଡଗୋଳ ।
ଭୋଗରାଇର ୨୪୭ ନମ୍ବର ବୁଥରେ ଏହି ଅପ୍ରୀତିକର ଘଟଣା ଘଟିଛି। ଜଣେ ମହିଳା କର୍ମୀ ବିଜେପିର ଜନୈକ ଏଜେଣ୍ଟକୁ ମାଡ ମାରିବା ପରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ତେବେ ଏହାପରେ ଘଟଣାରେ ହସ୍ତକ୍ଷେପ କରିଲେ ଉପସ୍ଥିତ ସୁରକ୍ଷା କର୍ମୀ। ଫଳରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୂର୍ବରୁ ଭୋଗରାଇରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳ ମଧ୍ୟରେ ଉତ୍ତେଜନା ନ ଥିଲେ ମଧ୍ୟ ଏହି ଘଟଣା ଅଚାନକ ଘଟିଥିବା ଜଣାପଡ଼ିଛି।
କଟକ ଜିଲ୍ଲାର ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କର୍ସଦା ପତ୍ରକଣା ବୁଥରେ ଗଣ୍ଡଗୋଳ ଘଟିବା ଫଳରେ ସେଠାରେ ଥିବା ଜଣେ ବିଜେପି ଏଜେଣ୍ଟ୍ ଆହତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀଦିନ ପ୍ରାୟ ୧୧ଟା ବେଳେ କୌଣସି କାରଣରୁ କର୍ସଦା ପତ୍ରକଣା ବୁଥ ନଂ ୧୩୫ରେ ଦୁଇ ପ୍ରତିଦ୍ବନ୍ଦ୍ବୀ ଦଳର କର୍ମୀଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଭଦ୍ରକ ଜିଲ୍ଲା ଧାମନଗରର ହସନାବାଦ ବୁଥରେ ମଧ୍ୟ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ବୁଥଟି ଏକ ସମ୍ବେଦନଶୀଳ ବୁଥ ହୋଇଥିଲେ ମଧ୍ୟ ଏଠାରେ ଆବଶ୍ୟକ ସଂଖ୍ୟକ ସୁରକ୍ଷାକର୍ମୀ ନିୟୋଜିତ ନ ଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲାର ବାସୁଦେବପୁରର ୮୬ ନମ୍ବର ବୁଥରେ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ମିଳିଛି। ମାତ୍ର ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଥିବା ଜଣାପଡ଼ିଛି।