ଯାଜପୁର (ଏଟିଆର ବ୍ୟୁରୋ); ଦିନିକିଆ ଯାଜପୁର ଗସ୍ତରେ ଯାଇଛନ୍ତି ଓଡିଶାର ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୩ଟି ସ୍ଥାନରେ ବିଭିନ୍ନ ସରକାରୀ ଏବଂ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଦଶରଥପୁର ଦତ୍ତପୁର,ଧର୍ମଶାଳା ବ୍ଳକ ଜାରକା ଏବଂ ବିଂଝାପୁର ବ୍ଳକ ଯଜ୍ଞ ପଡିଆରେ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି । ପ୍ରଥମେ ଦଶରଥପୁର ବ୍ଲକ ଦତ୍ତପୁରରେ ପହଞ୍ଚି ୪କୋଟି ଟଙ୍କା ବ୍ୟୟରେ ୨ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିସହ ୯୬କୋଟି ଟଙ୍କା ବ୍ୟୟରେ ୭ଟି ପ୍ରକଲ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହାପରେ ଏକ ସାଧାରଣ ସମାବେଶରେ ଯୋଗ ଦେଇ ନବୀନ କହିଛନ୍ତି, କାଳିଆ ସାରା ଦେଶ ପାଇଁ ଏକ ମଡେଲ୍ ଯୋଜନା।
ଦଶରଥପୁର କାର୍ଯ୍ୟକ୍ରମ ସରିବା ପରେ ସେଠାରୁ ଧର୍ମଶାଳା କଳ୍ପତରୁ ଦାସ ଷ୍ଟାଡିୟମ ଯାଇ ୪କୋଟି ୫୭ଲକ୍ଷ ଟଙ୍କାର ୨୪୫ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ ନବୀନ । ଏହା ମଧ୍ୟରେ ରହିଛି ଶହେଟି ଆମ ଗାଁ ଆମ ବିକାଶ ପ୍ରକଳ୍ପ । ଏହା ସହ ୨୩କୋଟି ୭୦ଲକ୍ଷ ଟଙ୍କାର ୯ଟି ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ କରିବେ । ପରେ ମୁଖ୍ୟମନ୍ତ୍ରୀଙ୍କୁ ବିଂଝାରପୁର ଗସ୍ତରେ ଯାଇ ୩୮ କୋଟି ଟଙ୍କାର ୫ଟି ପ୍ରକଳ୍ପ ପାଇଁ ଉଦ୍ଘାଟନ କରିବେ । ଏଥିସହ ୩କୋଟି ଟଙ୍କାର ୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଦିନ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଉଛନ୍ତି । ଏବଂ ବିଭିନ୍ନ ସମାବେଶରେ ମଧ୍ୟ ଯୋଗ ଦେଉଛନ୍ତି । ଯାହାକୁ ନେଇ ଗତକାଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ନବୀନଙ୍କୁ ଦେଶ ଦ୍ରୋହି ବୋଲି ସମାଲୋଚନା କରିଥିଲେ । କାରଣ ଦେଶରେ ପୁଲୱାମା ଆତଙ୍କବାଦୀ ହମଲାରେ ଦୁଃଖ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ନାଚଗୀତରେ ମସଗୁଲ ରହୁଛନ୍ତି । ସଦୀଦଙ୍କ ପାଇଁ ତାଙ୍କର କିଛି ଦରଦ ନଥିବା ସେ ମଧ୍ୟ କହିଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ସେପଟେ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଦଳମାନେ ଏଭଳି କାଦୁଅ ଫିଙ୍ଗାଫିଙ୍ଗି ହେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।