ପୁରୀ (ଏଟିଆର ବ୍ୟୁରୋ); ପିପିଲି ନିର୍ବାଚନ ମଣ୍ଡଳୀରେ ପ୍ରଦୀପ ମହାରଥୀଙ୍କୁ କଡାଟକ୍କର ଦେଇ ଆସୁଥିବା କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା । କିନ୍ତୁ ଏଥରକ ସେ ପିପିଲିରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଛନ୍ତି । ତେବେ ପୂର୍ବରୁ ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ପୁଅ ପୃଥୀବଲ୍ଲବଙ୍କୁ ପ୍ରାର୍ଥୀ କରିଥିଲେ ସୁଦ୍ଧା ସେ ନିର୍ବାଚନ ଲଢ଼ିବା ପାଇଁ ମନା କରିଦେଇଥିଲେ । ଏବେ ଯୁଧିଷ୍ଠିର ମନା କରିବା ପରେ କଂଗ୍ରେସକୁ ଲାଗିଛି ଶକ୍ତ ଝଟକା ।
ଯୁଧିଷ୍ଠିର ନିର୍ବାଚନ ଲଢ଼ିବା ପାଇଁ ମନା କରିବା ପରେ ତାଙ୍କ ସ୍ଥାନରେ ଦଳ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି । ଅଜିତଙ୍କ ଲୋକ ପ୍ରିୟତା ଯଦିଓ ନିର୍ବାଚନ ମଣ୍ଡଳୀରେ ଭଲ ରହିଛି ତଥାପି ଯୁଧିଷ୍ଠିର ମହାରଥୀଙ୍କ ସମକକ୍ଷ ନେତା ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ ଲଢ଼ିବା ପାଇଁ ମନା କରିବା ପରେ ଯୁଧିଷ୍ଠିର ଦଳୀୟ କର୍ମୀମାନଙ୍କୁ ଏକାଠି କରି କଂଗ୍ରେସ ନେତୃତ୍ୱ ଉପରେ ବର୍ଷିଥିଲେ । ତେବେ ଏତେ ଜଲଦି ଯୁଧିଷ୍ଠିରଙ୍କ ପରିବର୍ତ୍ତନକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପିପିଲିରୁ ଲଗାତାର ବିଜୟ ହୋଇ ଆସିଥିବା ପ୍ରଦୀପ ମହାରଥୀ ଏଥରକ ଟିକେଟ ପାଇବେ ନାହିଁ ବୋଲି ଶୁଣିବାକୁ ମିଳୁଥିଲା । କିନ୍ତୁ ବହୁ ବାଦ ବିବାଦରେ ପରେ ବିଜେଡି ସୁପ୍ରିମୋ ତାଙ୍କ ଉପରେ ଭରଷା କରି ପୁଣିଥରେ ଟିକେଟ ଦେଇଛନ୍ତି । ତେବେ ପିପିଲି ଗଣଦୁଷ୍କର୍ମ ମାମଲରେ ମହିଳା ବିରୋଧୀ ମନ୍ତବ୍ୟ ଦେଇଥିବାରୁ ଏଥରକ ନିର୍ବାଚନରେ ତାଙ୍କ ପାଇଁ ମହଙ୍ଗା ପଡିପାରେ ବୋଲି ଚର୍ଚ୍ଚା ହେଉଛି ।