ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆରମ୍ଭ ହୋଇ ଯାଇଛି କଂଗ୍ରେସର ଜନ ଆଶୀର୍ବାଦ ଯାତ୍ରା । ଆଗମୀ ନିର୍ବାଚନ ପାଇଁ ଜନତାଙ୍କ ଆର୍ଶୀବାଦ ଭିକ୍ଷା କରିବା ପାଇଁ କଂଗ୍ରେସର ବିଶାଳ ପଦଯାତ୍ରା ଆରମ୍ଭ ହୋଇ ଯାଇଛି । ସ୍ଥାନୀୟ ଲିଙ୍ଗରାଜ ମନ୍ଦିର ଠାରୁ ଭୁବନେଶ୍ୱର କଂଗ୍ରେସ କର୍ମୀଙ୍କ ଦ୍ୱାରା ଏହି ଯାତ୍ରା ଆରମ୍ଭ ହୋଇଛି । ଏଥିରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ହେବିୱେଟ ନେତା ନରସିଂହ ମିଶ୍ର ଯୋଗ ଦେଇଛନ୍ତି । ତାଙ୍କ ସହିତ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ରଙ୍କ ସମେତ ଏକାମ୍ର ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ କର୍ମୀ ଏବଂ ନେତା ଯୋଗ ଦେଇ ଏହି ଯାତ୍ରାକୁ ସଫଳ କରିଛନ୍ତି ।
କେନ୍ଦ୍ର ଏବଂ ରାଜ୍ୟରେ କଂଗ୍ରେସ ସରକାରକୁ ଆସିଲେ ଲୋକଙ୍କ ପାଇଁ କିପରି କାମ କରିବ ସେ ସମ୍ପର୍କରେ ମଧ୍ୟ ଏହି ଯାତ୍ରା ଦ୍ୱାରା ଲୋକଙ୍କ ପାଖରେ ପହଁଞ୍ଚାଇବେ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟତଃ ଏହି ଯାତ୍ରା ଦ୍ୱାରା କଂଗ୍ରେସ ଚାଷୀମାନଙ୍କୁ ଅସ୍ତ୍ର କରିବ । ଏବଂ ସରକାର ଗଢ଼ିଲେ ଚାଷୀଙ୍କ ପାଇଁ ବହୁ ସୁବିଧା କରିବାର ପ୍ରତିଶ୍ରୃତି ମଧ୍ୟ ଦେବ । କାରଣ ନିକଟରେ ୫ଟି ରାଜ୍ୟର ନିର୍ବାଚନ ଫଳାଫଳରେ କଂଗ୍ରେସ ତିନୋଟି ରାଜ୍ୟରେ ସରକାର ଗଢ଼ିଥିଲା । ତେବେ ଏହି ସବୁ ରାଜ୍ୟରେ କଂଗ୍ରେସ ଚାଷୀଙ୍କ ପାଇଁ ବିଜୟ ହୋଇଥିବା ଜଣାପଡିଛି । ଏଣୁ ତିନୋଟି ରାଜ୍ୟରେ ଚାଷୀଙ୍କ ଋଣ ଛାଡ କରିବା ସହିତ ଧାନର ଏମଏସପି ମୂଲ୍ୟ ମଧ୍ୟ ବଢ଼ାଇଛି କଂଗ୍ରେସ ସରକାର ।
ନିର୍ବାଚନ ପାଖେଇ ଆସୁଥିବାରୁ ସମସ୍ତ ରାଜନୈତିକ ଦଳମାନେ ଭୋଟରଙ୍କ ମନ ମୋହିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରଖିବେ । ଏଥର ରାଜ୍ୟ ରାଜନୀତିରେ ଇଙ୍ଗ ଲଢ଼େଇ ଦେଖିବାକୁ ମିଳିବ । କାରଣ ମାଳ ମାଳ କେନ୍ଦ୍ରୀୟ ନେତାମାନେ ନିୟମିତ ଭାବରେ ଓଡିଶାରେ ଆସି ଡେରା ପକାଉଛନ୍ତି । ଏଣୁ ଏହାର ପ୍ରଭାବ ରାଜ୍ୟ ରାଜନୀତିରେ ପଡିବ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡିଶାରେ ନିଜର ଦବଦବା ପାଇଁ ଦୁଇଥର ଓଡିଶା ଆସି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷି ଥିବା ଦେଖିବାକୁ ମିଳିଛି । ଦଳର ତୁଙ୍ଗନେତାଙ୍କ ଦଳ ଛାଡିବା ପରେ ଦଳରେ ଅନ୍ୟ ବହୁ ବରିଷ୍ଠ ନେତା ମଧ୍ୟ ଯୋଗ ଦେଇଛନ୍ତି । ଏଣୁ କଂଗ୍ରେସ ନିର୍ବାଚନରେ ମଧ୍ୟ କଡା ଟକ୍କର ଦେବ ବୋଲି ଆଶା କରାଯାଉଛି ।