ଭୁବନେଶ୍ୱର ( ଏଟିଆର ବ୍ୟୁରୋ) ଚଳିତ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି । ଏମିତିକି ଖୋଦ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କୁ ମଧ୍ୟ ଆମେଠିରେ ପରାଜୟର ଦ୍ୱାରସ୍ତ ହେବାକୁ ପଡିଛି । ସେହିଭଳି ଓଡିଶାରେ କଂଗ୍ରେସର ପ୍ରଦର୍ଶନ ନିରାଶ ଜନକ ଥିଲା । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ପରି ହେବିୱେଟ ନେତା ପରାଜିତ ହୋଇଛନ୍ତି । ଏହି ଅବସରରେ କଂଗ୍ରେସ ତାର ପରାଜୟର ସମୀକ୍ଷା କରୁଛି । କେଉଁ କାରଣରୁ କଂଗ୍ରେସର ଏମିତ ଶୋଚନୀୟ ପରିସ୍ଥିତି ହେଲା ତାର କାରଣ ଖୋଜୁଛି କଂଗ୍ରେସ ।
ଏହି ଅବସରରେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି କଂଗ୍ରେସ ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୬ ଟି ସବକମିଟି ଗଠନ ହେଶି ମାସକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି । ମାସକ ମଧ୍ୟରେ ଏହି ରିପୋର୍ଟ ଏଆଇସିସିକୁ ଦିଆଯିବ ବୋଲି ସୂଚନା ମିଳିଛି । ପୂର୍ବରୁ ମଧ୍ୟ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ତେବେ ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା କହିଛନ୍ତି ଦଳରେ ଅନ୍ତଦ୍ୱନ୍ଦ ହିଁ ପରାଜୟର ପ୍ରମୁଖ କାରଣ । କଂଗ୍ରେସ ନେତା ମାନେ ଜଣଙ୍କ ପରେ ଜଣେ ନେତା ଦଳ ଛାଡିବା ଓ ଟିକେଟ ଫେରେଇବା କାରଣରୁ ଭୋଟର କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ଭରଷା କରିପାରିଲେ ନାହିଁ । ଯେଉଁ କାରଣରୁ ଅଧାରୁ ଅଧିକ ଭୋଟର ଅମାନତ ହରେଇଲେ ।
ସେ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସର ଆମୁଳଚୂଳ ପରିବର୍ତ୍ତନ ଦରକାର । ଯାହା ଦା୍ୱରା ଦଳର ସ୍ଥିତି ସୁଧୁରିବ ବୋଲି କହିଛନ୍ତି ଗଣେଶ୍ୱର । ଅନ୍ୟପକ୍ଷେ ବିଜେପି କାର୍ଯ୍ୟାଳୟରେ ମଧ୍ୟ ଆଜି ବିଜେପି ପରାଜୟର ସମୀକ୍ଷା କରିଛି । ବିଜେପିର ବହୁ ହେବିୱଟ ନେତାଙ୍କ ଉପସ୍ଥିତିରେ ପରାଜୟର ପୋଷ୍ଟ ମର୍ଟମ ଚାଲିଛି । ସୂଚନାଯୋଗ୍ୟ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳରେ ରହି ଆସୁଥିବା କଂଗ୍ରେସକୁ ଏଥର ତୃତୀୟ ସ୍ଥାନକୁ ଯିବାକୁ ପଡିଛି ।