ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିକଟରେ ପ୍ରକାଶ ପାଇଥିଲା ନିର୍ବାଚନୀ ଫଳାଫଳ । କେନ୍ଦ୍ର ଭଳି ରାଜ୍ୟରେ ମଧ୍ୟ କଂଗ୍ରେସର ବିପର୍ଯ୍ୟୟ ଘଟିଛି । ତେବେ ପରାଜୟର କାରଣ ଖୋଜୁଛି କଂଗ୍ରେସ ଗୁରୁବାର ରାଜ୍ୟ କାର୍ଯ୍ୟାଳୟରେ ଚାଲିଛି ସମୀକ୍ଷା ବୈଠକ । ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ବୈଠକରେ ବିଜୟ ପ୍ରାର୍ଥୀ , ପରାଜିତ ପ୍ରାର୍ଥୀ, ପିସିସି କର୍ମକର୍ତ୍ତା, ଜିଲ୍ଲା ସଭାପତି ଓ ୨୧ ଜଣିଆ ତଥ୍ୟ ଅନୁସନ୍ଧାନକାରୀ କମିଟି ବୈଠକରେ ସାମିଲ ହୋଇଛନ୍ତି । ପରାଜୟର ପୋଷ୍ଟମର୍ଟମ ଚାଲିଛି ।
ଚଳିତ ନିର୍ବାଚନରେ କଂଗ୍ରେସ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ରାଜ୍ୟରେ ୧୪୬ଟି ଆସନରେ ହୋଇଥିବା ନିର୍ବାଚନରେ ମାତ୍ର ୯ଟି ଆସନରେ ବିଜୟ ହୋଇଥିବା ବେଳେ ଲୋକସଭାରେ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହୋଇଛି ଦଳ । ଯାହାକୁ ନେଇ ଦଳରେ ଆରମ୍ଭ ହୋଇଛି ସମୀକ୍ଷା । ଆଜି ବସିଥିବା ସମୀକ୍ଷା ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ଚୟନ କରାଯାଇପାରେ ।
ବିଜୟୀ ହୋଇଥିବା ନବଗ୍ରହ ଏଥରକ ସରକାରଙ୍କ ବିଭିନ୍ନ ତୃଟି ସୁଧାରିବା ସହିତ ଲୋକଙ୍କ ମଙ୍ଗଳ ପାଇଁ କାମ କରିବ ବୋଲି କଂଗ୍ରେସ ବିଜୟୀ ପ୍ରାର୍ଥୀ ସୁର ରାଉତରାୟ ପୂର୍ବରୁ ସୂଚନା ଦେଇଥିଲେ । ତେବେ ତାରା ବାହିନୀପତି କଂଗ୍ରେସ ବିଧାୟକ ଦଳ ନେତା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ,ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । କିନ୍ତୁ ଏବେ ସୁଦ୍ଧା ଏକାକୁ ଗ୍ରହଣ କରାଯାଇନାହିଁ ।