ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ରାଜ୍ୟରେ ନିଯୁକ୍ତି ପ୍ରସଙ୍ଗକୁ ନେଇ ବିଜେପି ବିଜେଡି ମଧ୍ୟରେ ଚାଲିଥିବା ଖଣ୍ଡଯୁଦ୍ଦରେ ଆଜି କଂଗ୍ରେସର ଏଣ୍ଟ୍ରି ହୋଇଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନିଯୁକ୍ତି ଦେବାରେ ବିଫଳ ହୋଇଥିବା କହିଛନ୍ତି କଂଗ୍ରେସର ମିଡିଆ ସେଲର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ।ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ବିଜେପି ଏବଂ ବିଜେଡିକୁ ଟାର୍ଗେଟ କରିଛନ୍ତିି ଶ୍ରୀ ନାୟକ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଦୁଇ ଦଳ ଭୋଟରଙ୍କ ମନ ମୋହିବା ପାଇଁ ଏଭଳି ଶସ୍ତା ରାଜନୀତି କରୁଥିବା କହିଛନ୍ତି । ରାଜ୍ୟ ସରକାର ନିଜର ବିଫଳତା ଲୁଚାଇ ନିର୍ମଳ ଭାବମୂତ୍ତି ବଞ୍ଚାଇ ରଖିବା ପାଇଁ କେନ୍ଦ୍ର ସରକାର ବିରୋଧରେ ତିନିଦିନିଆ ବିକ୍ଷୋଭ ପ୍ରତିବାଦ ଏକ ଡ୍ରାମା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାରଙ୍କର ଯଦି ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ ଏତେ ଉଦବେଗ ତେବେ ୪ ବର୍ଷରେ ୫୦ ହଜାର ପଦବୀରେ ନିଯୁକ୍ତି ନଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ କଣ ପାଇଁ ପୁନଃ ଥଇଥାନ କଲେ ସେ ନେଇ ପ୍ରଶ୍ନ କରିଛନ୍ତି ଶ୍ରୀ ନାୟକ । ତେବେ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ ୬ଟି ପ୍ରଶ୍ନ କରିଛନ୍ତି ।
ଅପରପକ୍ଷରେ ଆନ୍ଦୋଳନ ଜାରି କରିଥିବା ବିଜେପିକୁ ମଧ୍ୟ କଡା ସମାଲୋଚନା କରିଛନ୍ତି । କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୃତି ରଖୁନାହାଁନ୍ତି । ଫଳରେ ବର୍ଷକୁ ୨ କୋଟି ନିଯୁକ୍ତି ଦେବା ପାଇଁ ୨୦୧୪ ନିର୍ବାଚନ ସମୟରେ ପ୍ରଚାର କରି ଶାସନକୁ ଆସିଥିଲା ବିଜେପି । ଏଣୁ ବିଜେପି ନିଜର ଭାବମୂତ୍ତି ବଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ମଧ୍ୟ ଏକ ଡ୍ରାମା ବୋଲି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ଅନୁଷ୍ଟିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ମୁଖପାତ୍ର ହିମାଂଶୁ ଲେଙ୍କା,ଅଶୋକ ସାମଲ,ନିକୁଞ୍ଜ ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ ।