ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦମ୍ଭୋକ୍ତି ଦେଖାଇଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଓଡିଶାରେ ବିଜେପି ସରକାର ଗଢ଼ିବ । ଓଡିଶା ରାଜନୀତିର ଦୁଇ ପ୍ରମୁଖ ନେତା ଦାମୋଦର ରାଉତ ଏବଂ ବିଜୟ ମହାପାତ୍ର ମନ୍ତ୍ରୀ ମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦରେ ରହିବେ । ତେବେ ଧମେନ୍ଦ୍ରଙ୍କ ଭଳି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ବହୁ ସଭା ସମିତିରେ ଏଭଳି କହିଥିବା ଦେଖିବାକୁ ମିଳୁଛି । ତେବେ ଜନତା ଆଗାମି ଦିନରେ କାହା ଉପରେ ଭରଷା କରି ଭୋଟ ଦେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।
ଜଗତସିଂହପୁରର ପୋଖତ ଖେଳାଳି ହେଉଛନ୍ତି ଦାମ ରାଉତ । ରାଜ୍ୟ ରାଜନୀତିର ସେ ହେଉଛନ୍ତି ଅଭିଜ୍ଞ ନେତା । ୭ଥର ବିଧାୟକ ହେବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ମଣ୍ଡଳରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତେବେ ସେ ସବୁବେଳେ ମୁହଁ ଖୋଲା ତୁଣ୍ଡ ପାଇଁ ଅସୁବିଧାରେ ପଡିଛନ୍ତି । ଏମିତିକି ବିଜେଡିରୁ ମଧ୍ୟ ସେ ବହିଷ୍କାର ହୋଇଛନ୍ତି । ଶେଷରେ ବିଜେପିରେ ଯୋଗ ଦେଇଥିଲେ । ପାରାଦୀପରୁ ଲଗାତାର ବିଜୟ ହୋଇଥିଲେ ସୁଦ୍ଧା ଶେଷରେ ସେଠାରୁ ଛାଡି ନିଜ ପୈତୃକ ନିର୍ବାଚନ ମଣ୍ଡଳୀ ବାଲିକୁଦା- ଏରସମାରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ଦାମ । ମୋଦିଙ୍କ ଲହରେ ସେଠାରେ ବିଜୟ ହେବାର ଆଶା ରଖିଛନ୍ତି ଦାମ । ରାଜ୍ୟରେ ବିଜେଡି ସରକାରକୁ ହଟାଇବା ପାଇଁ ପ୍ରଥମରୁ ସେ ସଂକଳ୍ପ କରି ନିର୍ବାଚନ ମଇଦାନକୁ ଓହ୍ଳାଇଛନ୍ତି ।
ବିଜୟ ମହାପାତ୍ର ବିଜେପିକୁ ବାଏ ବାଏ କହିଥିଲେ ସୁଦ୍ଧା ପୁଣିଥରେ ଦଳକୁ ଫେରିଛନ୍ତି । ଏବଂ ସେ ପାଟକୁରରେ ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ ଏଠାରେ ବିଜେଡି ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ହେବା ପରେ ଏଠାରେ ନିର୍ବାଚନ ତାରିଖକୁ ଘୁଞ୍ଚାଯାଇଛି । ତେବେ ସେଠାରେ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ । କିନ୍ତୁ ସେଠାରେ ବିଜୟ ନିଶ୍ଚିନ୍ତ ଭାବରେ ବିଜୟ ହେବେ ବୋଲି ପ୍ରଥମରୁ ଦୃଢ଼ୋକ୍ତି ଦେଇ ଚାଲିଛନ୍ତି । ତେବେ ବିଜେଡି କାହାକୁ ପ୍ରାର୍ଥୀ କରୁଛି ତାଉପରେ ସମସ୍ତଙ୍କ ନଜର ।