ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ରାଜନୀତିର ବରିଷ୍ଟ ନେତା ଦାମୋଦର ରାଉତ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ଏବେ ପାଟକୁରା ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେଉଛି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ପାଟକୁରାରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ତେବେ ନବୀନଙ୍କ ପ୍ରଚାର ଅଭିଯାନକୁ ନେଇ ମୁହଁ ଖୋଲିଛନ୍ତି ଦାମ । ସେ କହିଛନ୍ତି କି ଆଉ ନବୀନଙ୍କ ପାୱାର କାମ ଦେବନି । ସେ ବିଜୁବାବୁଙ୍କ ନାଁକୁ ନେଇ ବିଜୟୀ ହୋଇପାରିବେନି ।
ପାଟକୁରା ନିର୍ବାଚନ ମଣ୍ଡଳୀର ତିନୋଟି ଯାକ ବ୍ଳକର ଜନତା ବିଜୟ ମହାପାତ୍ରଙ୍କୁ ବାଛିଛନ୍ତି । ସେମାନେ କହିଛନ୍ତି କି ଆମେ ବିଜେଡିଠାରୁ ଟଙ୍କା ନେଲେ ମଧ୍ୟ ବିଜୟ ମହାପାତ୍ରଙ୍କୁ ଭୋଟ ଦେବୁ ଏବଂ ବିଧାନସଭା ପଠାଇବୁ । ନବୀନ ଚାଲାକ କରି ଅନୁକମ୍ପା ଭୋଟ ପାଇବା ପାଇଁ ବେଦପ୍ରକାଶ ଅଗ୍ରୱାଲଙ୍କ ଧର୍ମପତ୍ନୀ ସାବିତ୍ରୀଙ୍କୁ ଟିକେଟ ଦେଇଥିଲେ ସୁଦ୍ଧା ଏହାକୁ ଲୋକମାନେ ପସନ୍ଦ କରୁ ନାହାଁନ୍ତି ବୋଲି ଦାମ କହିଛନ୍ତି ।
ବିଜୁବାବୁଙ୍କ ନାମ ନେଇ ନବୀନ ୧୯ ବର୍ଷ ଶାସନ କରିଛନ୍ତି । ଚଳିତ ନିର୍ବାଚନରେ ମଧ୍ୟ ଏହା କାମ କରିଥିଲା । କିନ୍ତୁ ଏଥରକ ପାଟକୁରାରେ ଆଉ କାମ କରିବନି । କାରଣ ବିଜୁ ବାବୁ କେନ୍ଦ୍ରାପଡାକୁ ଅଧିକ ଭଲ ପାଉଥିଲେ । ଏବଂ ଏଠାକାର ଲୋକମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଉଥିଲେ । ବିଜୟ ବାବୁ ବିଜୁବାବୁଙ୍କ ଖାସ ଲୋକ ଥିଲେ । କିନ୍ତୁ ନବୀନ ତାଙ୍କୁ ପ୍ରତାରଣା କରି ଦଳରୁ ବାହାର କରିଥିଲେ । ଏଣୁ ବିଜୟ ମହାପାତ୍ରଙ୍କ ପ୍ରତି ହୋଇଥିବା ଅବିଚାରକୁ ଭୋଟରମାନେ ଉଚିତ ଶିକ୍ଷା ଦେବେ ବୋଲି କହିଛନ୍ତି ଦାମ ।
ନବୀନ ୧୯ ବର୍ଷ ଶାସନ କରିବା ପରେ ମଧ୍ୟ କେବେ ବଳଦେବଜୀୟୁଙ୍କ ଦର୍ଶନ କରିନଥିଲେ । ଏବେ ପାଟକୁରା ନିର୍ବାଚନ ଆସିଥିବାରୁ ଲୋକ ଦେଖାଣିଆ ଦର୍ଶନ କରିଛନ୍ତି ଏବଂ ୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ତେବେ ଏବେ ଲୋକମାନେ ସବୁ ବୁଝିସାରିଲେଣି ।