ଜଗତସିଂହପୁର (ଏଟିଆର ବ୍ୟୁରୋ); ପୁଣିଥରେ ତୁଣ୍ଡ ଖୋଲିଲେ ବରିଷ୍ଟ ନେତା ଦାମୋଦର ରାଉତ । ପ୍ରଶାସନ ଏବଂ ସରକାରଙ୍କୁ ତେରେଛା ବାଣ ମାରିଛନ୍ତି ରାଜ୍ୟ ରାଜନୀତିର ଏହି ଚର୍ଚ୍ଚିତ ଚେହେରା । ଦାମ କହିଛନ୍ତି ପ୍ରଶାସନ ଦେଇଥିବା ପ୍ରତିଶୃତି ରଖିନାହିଁ । ଅପରପକ୍ଷରେ ବାତ୍ୟା ପ୍ରଭାବିତଙ୍କ ସମସ୍ୟା ଦୂର କରି ଡେଙ୍ଗୁରା ପିଟୁଥିବା ସରକାର ମଧ୍ୟ ଅସମର୍ଥ ହୋଇଥିବା ଦାମ ଆଜି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।
ପ୍ରଶାସନ ଲୋକଙ୍କୁ ଦେଉଥିବା ଖାଦ୍ୟରେ ପେଟ ପୁରୁନାହିଁ । ଅପରପକ୍ଷରେ ଯେଉଁ ମାନଙ୍କର ରାସନ କାର୍ଡ ଅଛି ସେମାନଙ୍କୁ ରିଲିଫ ମିଳୁଛି । କିନ୍ତୁ ବାତ୍ୟାରେ ପ୍ରଭାବିତ ହୋଇଥିବା ବହୁ ଲୋକ ଏଥିରୁ ବାଦ ପଡୁଛନ୍ତି । ଘରଦ୍ୱାର ଭାଙ୍ଗି ଧନ ନଷ୍ଟ ହୋଇଥିବା ବହୁ ଲୋକଙ୍କର ରାସନ କାର୍ଡ ନଥିବାରୁ ସେମାନଙ୍କୁ ଅବହେଳା କରାଯାଉଥିବା କହିଛନ୍ତି ଦାମ ।ସରକାର ଆଶ୍ରୟ ସ୍ଥଳରେ ସମସ୍ତ ପ୍ରକାର ସୂବିଧା ଯୋଗାଇ ଦେଇଥିବା କହୁଛନ୍ତି । ହେଲେ ଗତ ୨ ତାରିଖରେ ଏରସମାର ଆମ୍ବିକି ଅଂଚଳରେ ଥିବା ଆଶ୍ରୟସ୍ଥଳ ଗୁଡିକରେ ସେପରି କିଛି ଦେଖିବାକୁ ମିଳି ନ ଥିବା କହିଛନ୍ତି ଦାମ । ବାତ୍ୟା ଆଶ୍ରୟସ୍ଥଳରେ କିଛି ସୁବିଧା ନଥିବାରୁ ହନ୍ତସନ୍ତ ହୋଇଥିଲେ ସ୍ଥାନାନ୍ତର ହୋଇଥିବା ଲୋକମାନେ ।
ପୂର୍ବରୁ ବିଜେଡି ଏବଂ ଜନତା ଦଳରୁ ୭ଥର ବିଧାୟକ ହୋଇଛନ୍ତି ଦାମ । ସେ ବାଲିକୁଦାରୁ ୫ଥର ବିଧାୟକ ହୋଇଥିବା ବେଳେ ପାରାଦୀପରୁ ୨ଥର ବିଧାୟକ ହୋଇଛନ୍ତି । ତେବେ ସେ ବିଜେଡିରୁ ତଡା ଖାଇବା ପରେ ବିଜେପିରେ ସାମିଲ ହୋଇଛନ୍ତି । ଚଳିତ ନିର୍ବାଚନରେ ସେ ଏରସମାରୁ ନିଜର ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ସବୁବେଳେ ନିଜର ତୁଣ୍ଡ ପାଇଁ ରାଜ୍ୟବାସୀ ତାଙ୍କୁ ବେଶ ଭଲ ଭାବରେ ଚିହ୍ନିଥାଆନ୍ତି । ତେବେ ସେ ବିଜେଡିରୁ ବିଦା ହେବା ପରଠାରୁ ନବୀନ ସରକାର ଏବଂ ତାଙ୍କ ଦଳକୁ କଡା ଭାଷାରେ ସମାଲୋଚନା କରିଆସୁଛନ୍ତି ।