ନୟାଗଡ (ଏଟିଆର ବ୍ୟୁରୋ); ସବୁଠି ବହୁଛି ନିର୍ବାଚନୀ ହାୱା । ତେବେ ନୟାଗଡ ଜିଲ୍ଲାର ଏକମାତ୍ର ଜନଜାତିଙ୍କ ପାଇଁ ସଂରକ୍ଷିତ ଆସନ ହେଉଛି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ । ଏଣୁ ଏହି ଆସନ ଉପରେ ସମସ୍ତଙ୍କ ନଜର । ଏଠାରେ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିସାରିଲେଣି । ନିର୍ବାଚନ ମଣ୍ଡଳୀର ଗାଁ ଗହଳୀରେ ମଧ୍ୟ ଭୋଜି ଭାତଠାରୁ ଆରମ୍ଭ କରି ଗଣ୍ଡଗୋଳ ପରିସ୍ଥିତି ଦେଖିବାକୁ ମିଳୁଛି । କିଏ କାହାର ହେବ ତାକୁ ନେଇ ଚାଲୁଛି ଅଙ୍କକଷା । ସବୁ ଗାଁରେ କୁଜି ନେତାମାନେ ମାଳ ମାଳ ହୋଇ ଲୋକଙ୍କୁ ବୁଝାଇବାରେ ବ୍ୟସ୍ତ ।
ବିଜେଡି ନୂଆ ପ୍ରାର୍ଥୀ ରମେଶ ବେହେରାଙ୍କୁ ଭରଷା କରି ଟିକେଟ ଦେଇଥିବା ବେଳେ କଂଗ୍ରେସ ମଧ୍ୟ ନୂଆ ପ୍ରାର୍ଥୀ ପ୍ରସାନ୍ତ ନାୟକଙ୍କୁ ଟିକେଟ ଦେଇଛି । ଅପରପକ୍ଷରେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ବିଜେଡି ଟିକେଟ ନମିଳିବା ପରେ ସେ ବିଜେପିରେ ଯୋଗ ଦେଇଥିଲେ । ଏଣୁ ଦଳ ତାଙ୍କୁ ଭରଷା କରି ଟିକେଟ ଦେଇଛି । ଦୁଇ ନୂଆ ପ୍ରାର୍ଥୀଙ୍କ ଆଗରେ ପ୍ରାର୍ଥୀ ହୋଇଥିବା ପୂର୍ଣ୍ଣଙ୍କୁ ନିର୍ବାଚନୀ ବୈତରଣୀ ପାର ହେବା ସହଜ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ବିଧାୟକଙ୍କ ସଂପ୍ରଦାୟ ଭୋଟ (ଗୁଣାପାଣ) ତାଙ୍କ ପାଇଁ ମହତ୍ୱପୂର୍ଣ୍ଣ ରହିଛି । ଯଦି ତାଙ୍କ ସଂପ୍ରଦାୟ ଲୋକ ତାଙ୍କୁ ସବୁ ଭୋଟ ଦିଅନ୍ତି ତେବେ ଅନ୍ୟ ଭୋଟ ବ୍ୟାଙ୍କ ମିଶିବା ପରେ ପୂର୍ଣ୍ଣଙ୍କ ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଉଛି ।
ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ସବୁବେଳେ ବିଜେଡି ବାଜିମାତ କରି ଆସୁଛି । ଅପରପକ୍ଷରେ ରମେଶ ବେହେରା ସରକାରୀ ଚାକିରୀ ଛାଡି ଜନସେବା କରିବା ପାଇଁ ରାଜନୀତିରେ ପାଦ ଦେଇଥିବାରୁ ଜନତା ଦଳ ଏବଂ ରମେଶଙ୍କ ଉପରେ ଭରଷା କରିବେ ବୋଲି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ କଂଗ୍ରେସ ପ୍ରାର୍ଥୀ ପ୍ରସାନ୍ତ ବେହେରା ମଧ୍ୟ ଦୁଇ ବିରୋଧୀଙ୍କୁ ମାତ ଦେଇ ବିଜୟ ଲକ୍ଷ୍ୟରେ ରହିଛନ୍ତି । ନିର୍ବାଚନ ମଣ୍ଡଳୀରେ ଅଧିକାଂଶ ଲୋକଙ୍କୁ କାଳିଆ ଟଙ୍କା ମିଳିନଥିବାରୁ ଲୋକଙ୍କୁ ବିଜେଡି ବିରୋଧରେ ଶୁଣାଇବ କଂଗ୍ରେସ । ଅପରପକ୍ଷରେ ୫ବର୍ଷ ପାୱାରରେ ରହିଥିବା ପୂର୍ଣ୍ଣଙ୍କ ଭୁଲ ବାହାର କରି ଲୋକଙ୍କ ପାଖରେ ପହଁଞ୍ଚିବ କଂଗ୍ରେସ । ତେବେ ଜନତା କାହା ଉପରେ ଭରଷା କରି ଭୋଟ ଦେବେ ତାଉପରେ ସମସ୍ତଙ୍କ ନଜର ।