ନୟାଗଡ (ଏଟିଆର ବ୍ୟୁରୋ); ଦୀର୍ଘ ବର୍ଷ ହେବ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡି ଅକ୍ତିଆରରେ ରହିଛି । ତେବେ ଚଳିତ ନିର୍ବାଚନରେ ଏଠାରେ ବିଜେଡି ଆଣ୍ଠେଇପାରେ ବୋଲି ଚର୍ଚ୍ଚା ହେଉଛି । ଏଣୁ ଦଶପଲ୍ଲାରେ ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଦଳର ହାଇକମାଣ୍ଡଙ୍କୁ ନେଇ ରୋଡ ସୋ କରିବା ପାଇଁ ଯାଉଛି । ଗାନ୍ଧୀ ମଇଦାନରେ ବିଜେଡି ପକ୍ଷରୁ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସ୍ଥାନୀୟ ନେତାଙ୍କ କୁଞ୍ଚ ତଳେ ଲାଗୁନାହିଁ । ଦଳର ହାଇକମାଣ୍ଡଙ୍କ ନିର୍ବାଚନୀ ପ୍ରଚାର ବିଜେଡି ପାଇଁ ପ୍ଳସ ପଏଣ୍ଟ ହେବ ବୋଲି ଆଶା ରଖିଛି ବିଜେଡି ।
ଦଶପଲ୍ଲାରେ ବିଜେଡି ନୂଆ ପ୍ରାର୍ଥୀ ରମେଶ ବେହେରାଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ନିର୍ବାଚନର କିଛି ଦିନ ପୂର୍ବରୁ ଯଦିଓ ସେ ଲୋକଙ୍କ ପାଖକୁ ଯାଇ ମତାମତ ନେବା ସହିତ ସାହାର୍ଯ୍ୟ ସହଯୋଗର ହାତ ବଢ଼ାଇଥିଲେ । କିନ୍ତୁ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଟିକେଟ କଟିବା ପରେ ସେ ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇଛନ୍ତି । ଯାହାକି ବିଜେଡିର ମୁଣ୍ଡ ବିନ୍ଧାର କାରଣ ହୋଇଛି । ପୂର୍ଣ୍ଣଙ୍କ ସଂପ୍ରଦାୟ ଭୋଟ ନିର୍ବାଚନ ମଣ୍ଡଳୀରେ ଅଧିକ ପରିମାଣର ରହିଛି ଏବଂ କିଛି ବିଜେପି ଭୋଟ ହାତେଇବା ଲକ୍ଷ୍ୟରେ ସେ ପୁଣିଥରେ ଲଢ଼େଇ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ।
ନିର୍ବାଚନ ମଣ୍ଡଳୀରେ ବିଜେଡିର ଲୋକ ପ୍ରିୟତା ଅଧିକ ରହିଥିଲେ ସୁଦ୍ଧା ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଢ଼ୁଛି । ସବୁ ଗାଁରେ ବିଜେଡି ସମର୍ଥକ ରହିଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରେ ଦୁଇଟି ଗୋଷ୍ଠୀ ରହିଥିବା ଦେଖିବାକୁ ମିଳୁଛି । ଯାହାକି ବିଜେଡିକୁ ଶେଷ ସମୟରେ ଅସୁବିଧାରେ ପକାଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦି କେଉଁ ଗୋଷ୍ଠୀକୁ ସଂନ୍ଧ୍ୟାରେ ମାଲ ନମିଳୁଛି ସେମାନେ ଡରଉଛନ୍ତି କି ଆମେ ବିଜେପିକୁ ଭୋଟ ଦେବୁ । ତେବେ ଶେଷ ସମୟରେ ଯଦି ପୂର୍ଣ୍ଣ କିଛି ଖେଳ କରିଦେବେ ତାହେଲେ ରମେଶଙ୍କ ଭାଗ୍ୟ ଅନ୍ଧକାରରେ ପଡିଯିବ ବୋଲି ଚର୍ଚ୍ଚା ହେଉଛି ।