ଦଶପଲ୍ଲା (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ନେତା ଏବଂ ଜନତାଙ୍କ ମଧ୍ୟରେ ବଢ଼ିବାକୁ ଲାଗୁଛି ଉକ୍ରଣ୍ଠା । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ଲାଗି ରହିଛି ଟିକେଟ ଯୁଦ୍ଧ । ଯାହାକୁ ନେଇ ଦଳ ମଧ୍ୟରେ ଲାଗି ରହିଛି କନ୍ଦଳ । ତେବେ ଏହି ଦଳୀୟ କନ୍ଦଳରୁ ବାଦ ପଡିନି ନୟାଗଡ ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀ । ଏଠାରେ ଟିକେଟ ପାଇବା ପାଇଁ ସବୁ ଦଳର ନେତାଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଛି ଖଣ୍ଡଯୁଦ୍ଧ । ତେବେ ଓଡିଶାରେ ବିଜେଡି ସରକାରରେ ଥିବା ହେତୁ ସମସ୍ତ ନେତାଙ୍କ ଆଶା ରହିଛି ବିଜେଡି ଟିକେଟ ହାତେଇବା । କାରଣ ସମସ୍ତଙ୍କ ମନରେ ବିଶ୍ୱାସ ରହିଛି ବିଜେଡି ଟିକେଟ ପାଇବା ମାନେ ବିଧାୟକ ହେବା ସୁନିଶ୍ଚିନ୍ତ । ଏଣୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏହି ବିଜେଡି ଟିକେଟ ପାଇଁ ଲାଗି ରହିଛି ଟଣାଓଟରା ।
ମୁଖ୍ୟତଃ ନୟାଗଡ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଅରୁଣ ସାହୁଙ୍କ ଦବଦବା ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତାଙ୍କ ଇଙ୍ଗିତରେ କୁଆଡେ ଏଠାରେ ପ୍ରାର୍ଥୀ ଦିଆ ଯାଉଥିବା ସାଧାରଣ ଲୋକ ଅଭିଯୋଗ କରୁଛନ୍ତି । ତେବେ ଏଥିରୁ ବାଦ ପଡିନି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ୫ ଜଣ ପ୍ରାର୍ଥୀ ବିଜେଡି ଟିକେଟ ପାଇବା ପାଇଁ ଆଶା ବାନ୍ଧି ବସିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଯିଏ ଅରୁଣଙ୍କ ପ୍ରିୟପାତ୍ର ହେବ ଏବଂ ତେଲ ମାରି ପାରିବ ସେ କୁଆଡେ ଟିକେଟ ପାଇବ ଏଣୁ ସବୁ ପ୍ରାର୍ଥୀମାନେ ଲାଗି ପଡିଥିବା ଲୋକଙ୍କ ଭିତରେ ଟୁପୁରୁ ଟାପୁରୁ କଥା ଚାଲିଛି ।
ତେବେ ଆସନ୍ତୁ ଜାଣିବା କେଉଁମାନେ ରହିଛନ୍ତିି ଏହି ଲିଷ୍ଟରେ…
ପୂର୍ଣ୍ଣଚନ୍ଦ୍ର ନାୟକ– ବର୍ତ୍ତମାନ ଦଶପଲ୍ଲାର ବିଧାୟକ ଭାବେ ଲୋକଙ୍କ କାମ କରୁଛନ୍ତି ପୂର୍ଣ୍ଣ । ମାତ୍ର ସେ ଅରୁଣ ସାହୁଙ୍କ ବିରୋଧୀ ବୋଲି ଲୋକଙ୍କ ମଧ୍ୟରେ କଥା ଚାଲିଛି । ପୂର୍ଣ୍ଣଙ୍କ ଲୋକ ପ୍ରିୟତାକୁ ସହି ନପାରି ତାଙ୍କୁ ପୁନର୍ବାର ଟିକେଟ ନଦେବା ପାଇଁ ଯୋଜନା କରୁଛନ୍ତି ଅରୁଣ! ଏଣୁ ନିକଟରେ ସ୍ଥାନୀୟ ନିର୍ବାଚନ ମଣ୍ଡଳିରେ ପୂର୍ଣ୍ଣ ହଟାଅ ଦଶପଲ୍ଲା ବଞ୍ଚାଅ ଅଭିଯାନ ଅରୁଣଙ୍କ ଇଙ୍ଗିତରେ ହୋଇଥିଲା ବୋଲି ପୂର୍ଣ୍ଣ ପ୍ରେମୀ ଅଭିଯୋଗ କରିଛନ୍ତି । ତେବେ ସେ ଯାହା ବି ହେଉ ପୁନର୍ବାର ବିଜେଡି ଟିକେଟ ପାଇବା ପାଇଁ ଆଶା ବାନ୍ଧି ବସିଛନ୍ତି ପୂର୍ଣ୍ଣ ।
କାଶୀନାଥ ମଲ୍ଲିକ-୨୦୦୯ ମସିହାରେ ଦଶପଲ୍ଲା ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ କାଶୀ । ମାତ୍ର ସେ ୨୦୧୪ ମସିହାରେ ଏଠାରେ ଟିକେଟ ପାଇ ନଥିଲେ । ତେବେ ପୁନର୍ବାର ୨୦୧୯ରେ ବିଜେଡି ଟିକେଟ ପାଇବେ ବୋଲି ଆଶା ବାନ୍ଧି ବସିଛନ୍ତି କାଶୀ । ଏଠାରେ କହି ରଖୁଛୁ କି ଅରୁଣଙ୍କ ପାଇଁ ୨୦୧୪ରେ ତାଙ୍କର ଟିକେଟ କଟିଥିଲା ବୋଲି ଅଭିଯୋଗ ହେଉଛି ।
ସୁଗ୍ରିବ ସିଂହ– ସୁଗ୍ରିବ ମଧ୍ୟ ଏଠାରେ ଟିକେଟ ପାଇବାର ଆଶା ରଖିଛନ୍ତି ଏବଂ ନିଜର କିଛି କର୍ମୀଙ୍କ ସହ ଜନ ସମ୍ପର୍କ ବଜାୟ ରଖିଛନ୍ତି ।
ସୁଶାନ୍ତ ମଲ୍ଲିକ– ନିର୍ବାଚନ ମଣ୍ଡଳୀରେ ପୋଷ୍ଟର ମାରି ନିଜର ସ୍ଥିତି ଜାହିର କରିଛନ୍ତି ସୁଶାନ୍ତ । ସେପଟେ ସେ ମଧ୍ୟ ଏଠାରେ ଟିକେଟ ପାଇବାର ଆଶା ବାନ୍ଧି ରଖିଛନ୍ତି ।
ରମେଶ ବେହେରା– ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରମେଶ ବାବୁ କୁଆଡେ ଅରୁଣଙ୍କ ଅତି ଘନିଷ୍ଠ । ଏବଂ ସେ ନିଶ୍ଚିନ୍ତ ଟିକେଟ ପାଇବା ପାଇଁ ଫୁଲ ଦମରେ ଲାଗି ପଡିଛନ୍ତି । ଓଡିଶା ସରକାରଙ୍କ ଏକ ବିଭାଗରେ ସେ କାର୍ଯ୍ୟରତ ଅଛନ୍ତି । ମାତ୍ର ସେ ନିର୍ବାଚନ ଲଢ଼ିବେ ବୋଲି ସାଧରଣରେ ଚର୍ଚ୍ଚା ହେଉଛି । ସେ ନିର୍ବାଚନ ମଣ୍ଡଳିର ସମସ୍ତ ଗାଁ ଗାଁ ବୁଲି କ୍ୟାମ୍ପେନିଂ କରୁଥିବା ଦେଖିବାକୁ ମିଳୁଛି । ତେବେ ସମସ୍ତଙ୍କ ଠାରୁ ରମେଶଙ୍କ ପଲ୍ଲା ଭାରି ରହିଥିବା ଜନ ସାଧାରଣ କଥା ହେଉଛନ୍ତି । ଯୁବ ସମାଜ ସେବି ଭାବରେ ତାଙ୍କର ଅଞ୍ଚଳରେ ବହୁତ ପ୍ରସିଦ୍ଧି ରହିଛି ।